ନୂଆଦିଲ୍ଲୀ: ଭାରତର ‘ସିଡବ୍ଲୁଜି ୨୦୨୨ ସ୍କ୍ୱାଡ୍’ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେତେକ ମୂଲ୍ୟବାନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଚିନ୍ତାମୁକ୍ତ ହୋଇ ନିଜ ନିଜର ସମସ୍ତ ସାମର୍ଥ୍ୟ ଜୁଟାଇ ଭଲ ଭାବେ ଖେଳ । ଆପଣମାନଙ୍କ ମୁକାବିଲା କରିବାକୁ କେହି ନାହାନ୍ତି, ଅଯଥା ଭାଳେଣିରେ ପଡ଼ିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ଇଂଲଣ୍ଡ୍ର ବର୍ମିଙ୍ଗହାମ୍ରେ ହେବାକୁ ଥିବା ଆଗାମୀ ‘କମନ୍ୱେଲ୍ଥ୍ ଗେମ୍ସ୍’ରେ ଖେଳିବା ଲାଗି ‘ଭାରତୀୟ ଅଲିମ୍ପି୍କ୍ ଆସୋସିଏସନ୍’ ୩୩୨ଜଣ ସଦସ୍ୟବିଶିଷ୍ଟ ଦଳର ତାଲିକା କରିଛି । ଏଥିରେ ୨୧୫ଜଣ ଖେଳାଳି ଏବଂ ୧୦୭ ଅଧିକାରୀ ଓ ସହାୟକ ଅଛନ୍ତି । ବ୍ରିଟିସ୍ ନଗରୀ ବର୍ମିଙ୍ଗ୍ହାମ୍ରେ ଉକ୍ତ କ୍ରୀଡା ଜୁଲାଇ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୮ ତାରିଖରେ ଶେଷହେବ । ୨୦୧୮ରେ ଗୋଲ୍ଡ୍ କୋଷ୍ଟ୍ରେ ଅନୁଷ୍ଠିତ ‘କମନ୍ୱେଲ୍ଥ୍ ଗେମ୍ସ୍’ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ୍ ପରେ ଭାରତ ତୃତୀୟ ସ୍ଥାନରେ ସ୍ଥାନିତ ହୋଇଥିଲା । ‘ଭାରତୀୟ ଅଲିମ୍ପି୍କ୍ ଆସୋସିଏସନ୍’ର ସାଧାରଣ ସଚିବ ରାଜୀବ ମେହେଟା କହିଛନ୍ତି: ଏଥର ‘କମନ୍ୱେଲ୍ଥ୍ ଗେମ୍ସ୍’କୁ ଆମେ ଆମର ସବୁଠୁ ଟାଣୁଆ ସ୍କ୍ୱାଡ୍ରୁ ଗୋଟିଏକୁ ପଠାଉଛୁ । ଆମର ପାରଦର୍ଶୀତା ଥିବା ବନ୍ଧୁକ ଚାଳନା ପ୍ରତିଯୋଗିତା ସେଥିରେ ନ ଥିଲେ ବି ଗତ ସଂସ୍କରଣର କ୍ରୀଡା ଠାରୁ ଢେର୍ ଭଲ ଖେଳିବୁ ବୋଲି ଆମେ ସୁନିଶ୍ଚିତ । ଏହି କ୍ରୀଡା ପ୍ରତିଯୋଗିତା ଉତ୍କୃଷ୍ଟ ଧରଣର ଏବଂ କଠିନ, କିନ୍ତୁ ଆମ ଖେଳାଳିମାନେ ଭଲରୂପେ ପ୍ରସ୍ତୁତି କରି ଖେଳିବାକୁ ଆଗଭର ହୋଇ ରହିଛନ୍ତି । ଆମେ ସେମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛୁ ।