ନୂଆଦିଲ୍ଲୀ। ଜୁନ୍ ମାସରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳରେ ଚୟନ କରାଯାଇପାରେ। ଯଦି ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ ଡେବ୍ୟୁ କରନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଦେଶକୁ ପ୍ରତିନିଧିତ୍ୱ କରୁଥିବା ସବୁଠାରୁ କମ୍ ବୟସର ଖେଳାଳି ହେବେ। ଏହା ବ୍ୟତୀତ, ଡେବ୍ୟୁ କରିବା ପରେ, ବୈଭବ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଐତିହାସିକ ରେକର୍ଡ ମଧ୍ୟ ଭାଙ୍ଗିବେ।
୧୯ ବର୍ଷରୁ କମ୍ ବିଶ୍ୱକପ୍ ଏବଂ ଯୁବ କ୍ରିକେଟରେ ନିଜର ବିସ୍ଫୋରକ ବ୍ୟାଟିଂ ଦ୍ୱାରା ଚହଳ ସୃଷ୍ଟି କରିଥିବା ବୈଭବଙ୍କୁ ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟରଲ୍ୟାଣ୍ଡ ଗସ୍ତ ପାଇଁ ଦଳ ପରିଚାଳନା ପକ୍ଷରୁ ସୁଯୋଗ ଦିଆଯାଇପାରେ। ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ତାଙ୍କୁ ଅନ୍ୟ ଅନେକ ଖେଳାଳିଙ୍କ ସହିତ ସର୍ଟଲିଷ୍ଟ କରିଛନ୍ତି।
ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜୁନ୍ ୨୬ ତାରିଖରେ ବେଲଫାଷ୍ଟରେ ଖେଳାଯିବ। ଦ୍ୱିତୀୟ ଟି-୨୦ ଜୁନ୍ ୨୮ ତାରିଖରେ ଅନୁଷ୍ଠିତ ହେବ।
ବିଶ୍ୱାସ କରାଯାଉଛି ଯେ ଜାତୀୟ ଚୟନକର୍ତ୍ତାମାନେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ଆଉ ଅପେକ୍ଷା କରିବାକୁ ମନସ୍ଥ କରୁନାହାଁନ୍ତି। ତଥାପି, ସେମାନେ ତାଙ୍କୁ ଏକ ଦୁର୍ବଳ ଦଳ ବିପକ୍ଷରେ ସୁଯୋଗ ଦେବା ବିଷୟରେ ବିଚାର କରୁଛନ୍ତି।
ଯଦି ସୂର୍ଯ୍ୟବଂଶୀଙ୍କ ପ୍ରଭାବଶାଳୀ ରନ ସ୍କୋରିଂ ଜାରି ରହେ, ତେବେ ଚୟନ କମିଟି ତାଙ୍କୁ ଆଗାମୀ ଆୟର୍ଲାଣ୍ଡ ସିରିଜ୍ ଏବଂ ଚଳିତ ବର୍ଷ ଶେଷ ଭାଗରେ ଜିମ୍ବାୱେ ଗସ୍ତ ପାଇଁ ଚୟନ କରିପାରେ। ନିକଟରେ, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏକ ଆଇପିଏଲ୍ ମ୍ୟାଚ୍ ସମୟରେ ବୈଭବଙ୍କୁ ଭେଟିଥିଲେ।
ଭାରତ ପାଇଁ ସବୁଠାରୁ କମ ବୟସରେ ଡେବ୍ୟୁ କରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ଅଛି, ଯିଏ ୧୯୮୯ ମସିହାରେ ୧୬ ବର୍ଷ ୨୦୫ ଦିନ ବୟସରେ କରାଚୀରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ମୋଟାମୋଟି ଭାବରେ, ଶଫାଲି ବର୍ମା ଭାରତ ପାଇଁ ଖେଳିଥିବା ସବୁଠାରୁ କମ ବୟସର କ୍ରିକେଟର, ୧୫ ବର୍ଷ ୭ ମାସ ୨୭ ଦିନ ବୟସରେ ଏହି ସଫଳତା ହାସଲ କରିଥିଲେ। ଯଦି ବୈଭବ ସୂର୍ଯ୍ୟବଂଶୀ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ କରିବାର ସୁଯୋଗ ପାଆନ୍ତି, ତେବେ ସେ ଶାଫାଲି ବର୍ମା ଏବଂ ସଚିନ ତେନ୍ଦୁଲକରଙ୍କ ଐତିହାସିକ ରେକର୍ଡ ଭାଙ୍ଗି ପାରିବେ।