କୋଲକତା : ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ବର୍ତ୍ତମାନ ନିଜର ଶ୍ରେଷ୍ଠ ଫର୍ମରେ ଅଛନ୍ତି । ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଶ୍ରେୟସ୍ ଆୟର୍ କ୍ରମାଗତ ତିନି ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ସମଗ୍ର ସିରିଜ୍ରେ ଅପରାଜିତ ରହିଥିଲେ । କେବଳ ଏତିକି ନୁହେଁ, କୋଲକାତା ନାଇଟ୍ ରାଇଡର୍ସ ଅର୍ଥାତ୍ କେକେଆର୍ ତାଙ୍କୁ ଆଇପିଏଲ୍ ୨୦୨୨ ର ମେଗା ନିଲାମରେ ବହୁ ଅର୍ଥ ଦେଇ କିଣିଥିବା ବେଳେ କିଛି ଦିନ ପରେ ତାଙ୍କୁ ଅଧିନାୟକ ନିଯୁକ୍ତି ମଧ୍ୟ କରିଛି ।
ନିକଟରେ କେକେଆର୍ ସହିତ ଏକ ସାକ୍ଷାତକାରରେ, ଶ୍ରେୟସ୍ ଆୟର କହିଛନ୍ତି ଯେ ନିଲାମ ସମୟରେ ତାଙ୍କ ଛାତି ଧଡଧଡ କରୁଥିଲା । ଶ୍ରେୟସ୍ ଆୟରଙ୍କୁ କେକେଆର୍ ୧୨.୨୫ କୋଟିରେ କିଣିଛି । ବର୍ତ୍ତମାନ ସେ ପ୍ରକାଶ କରିଛନ୍ତି ଯେ ଟେଲିଭିଜନରେ ଆଇପିଏଲ୍ ୨୦୨୨ ର ମେଗା ନିଲାମ ଦେଖିବାବେଳେ ସେ ନର୍ଭସ ଥିଲେ । ସେହି ସମୟରେ ସେ ତାଙ୍କର ଭାବନାକୁ ନିୟନ୍ତ୍ରଣ ମଧ୍ୟ କରିପାରୁନଥିଲେ ।
ଶ୍ରେୟସ୍ ଆୟର କହିଛନ୍ତି, “ହଁ, ମୁଁ ନିଲାମ ଦେଖୁଥିଲି ଏବଂ କେକେଆର ଆରମ୍ଭରୁ ମୋ ସହିତ ଥିଲା । ଅନ୍ୟ କିଛି ବଡ ଫ୍ରାଞ୍ଚାଇଜ୍ ମଧ୍ୟ ଆସୁଥିଲା ଏବଂ ମୋର ମନେ ଅଛି ଯେ ନିଲାମୀ ଚାଲିଛି । ଆମେ, ଆମର (ଭାରତ) ଦଳର ସମସ୍ତ ସଦସ୍ୟ ବସିଥିଲୁ । ଏକତ୍ର ଟିଭିରେ ନିଲାମ ଦେଖିବା ବେଳେ ମୋର ଛାତି ଧଡଧଡ କରୁଥିଲା ଏବଂ ମୁଁ ମୋର ଭାବନାକୁ ନିୟନ୍ତ୍ରଣ କରିପାରୁନଥିଲି । ମୁଁ ଆରାମଦାୟକ ହେବାକୁ ଚେଷ୍ଟା କରୁଥିଲି, କିନ୍ତୁ ମୋ ମନ ଭିତରେ ମୁଁ ନର୍ଭସ ଥିଲି । ସେ ଆହୁରି ମଧ୍ୟ କହିଛନ୍ତି କୋଲକତା ପରିବାର ସହ ମୋତେ ଯୋଡିଥିବାରୁ ମୁଁ ଫ୍ରାଞ୍ଚାଇଜଙ୍କୁ ଧନ୍ୟବାଦ ଦେଉଛି ।