ହସ୍ପିଟାଲରୁ ଡିସଚାର୍ଜ ହେଲେ ଈଶାନ୍‌ କିଶାନ୍‌, ଖେଳି ନପାରନ୍ତି ତୃତୀୟ ଟି-୨୦

ଧର୍ମଶାଳା : ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗିବା ପରେ ଭାରତୀୟ ଓପନର୍‌ ଈଶାନ୍‌ କିଶାନଙ୍କୁ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ମୁଣ୍ଡ ସ୍କାନ କରାଯାଇଥିଲା । ତେବେ ହିମାଚଳ ପ୍ରଦେଶର କାଙ୍ଗ୍ରା ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଏବେ ତାଙ୍କୁ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ରଖାଯାଇଛି । କିନ୍ତୁ ଈଶାନ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟି -୨୦ ମ୍ୟାଚରେ ଖେଳିବାର ସମ୍ଭାବନା ନାହିଁ ।
ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ସମୟରେ ଆଇପିଏଲ୍‌ ୨୦୨୨ ମେଗା ନିଲାମର ବ୍ୟୟବହୁଳ ଖେଳାଳି ଊଶାନ୍‌ କିଶାନଙ୍କ ମୁଣ୍ଡରେ ଆଘାତ ଲାଗିଛି । ଶନିବାର ଦ୍ୱିତୀୟ ମ୍ୟାଚରେ ୧୫ ଟି ବଲରୁ ୧୬ ରନ ସ୍କୋର କରିଥିବା କିଶାନ ଭାରତୀୟ ଇନିଂସ ସମୟରେ ଚତୁର୍ଥ ଓଭରରେ ଲାହିରୁ କୁମାରଙ୍କ ବାଉନ୍ସରରେ ଆହତ ହୋଇଥିଲେ । ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ତୁରନ୍ତ ହେଲମେଟ କାଢିଥିଲେ, ଯାହା ପରେ ତାଙ୍କୁ ଭାରତୀୟ ଡାକ୍ତରୀ ଦଳ ପଡିଆରେ ପରୀକ୍ଷା କରିଥିଲେ ।
ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଲାହିରୁ କୁମାରଙ୍କ ବାଉନ୍ସର୍‌ ତାଙ୍କୁ ମୁଣ୍ଡରେ ଆଘାତ ଲାଗିବା ପରେ ଇଶାନ୍‌ କିଶାନଙ୍କୁ ସ୍କାନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୁହାଯାଇଛି ଯେ, କିଶାନଙ୍କୁ ସତର୍କତାମୂଳକ ଭାବେ ରାତିସାରା ଡାକ୍ତରଖାନାରେ ରଖାଯାଇଥିଲା । ବିସିସିଆଇ ସ୍କାନର ଫଳାଫଳକୁ ଅପେକ୍ଷା କରିଛି ଏବଂ କିଶନ ଟିମ୍‌ ହୋଟେଲକୁ ଫେରିବା ସମ୍ଭାବନା ରହିଛି ।
ଫାଇନାଲ୍‌ ମ୍ୟାଚ୍‌ ରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ବିଶ୍ରାମ ନେଇପାରନ୍ତି । ଏଭଳି ପରିସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ମୟଙ୍କ ଅଗ୍ରୱାଲ କିମ୍ବା ଭେଙ୍କଟେଶ ଆଇୟର ଇନିଂସ ଆରମ୍ଭ କରିବେ । ଆହତ କାରଣରୁ ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଇକୱାଡ ଏବଂ ସୂର୍ଯ୍ୟକୁମାର ଯାଦବ ଏବଂ ପେସର୍‌ ଦୀପକ ଚହର ଦଳରୁ ବାଦ ପଡିଛନ୍ତି । ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୨-୦ ଅଗ୍ରଣୀ ହାସଲ କରିସାରିଛି ।

Comments (0)
Add Comment