ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ୱର୍ଦ୍ଧିତ ହେଲେ ଡ଼ଃ ନୃସିଂହାନନ୍ଦ

ଫୁଲବାଣୀ:-କନ୍ଧମାଳ ତଥା ଓଡିଶାର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ରାଜ୍ୟ ସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ସନ୍ଥ ଭୀମ ପ୍ରଭା ଜ୍ୟୋତି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ ତରଫରୁ କଟକ ସାରଳା ଭବନଠାରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ କବିଙ୍କୁ ମାନପତ୍ର ତଥା ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଏଥିରେ କଟକର ସାଂସଦ ଭର୍ତ୍ତୃହରି ମହତାବ, ଡ଼ଃ ପ୍ରସନ୍ନ ପାଟଶାଣୀ, ସଂକୃତି ନିର୍ଦ୍ଦେଶକ ରଞ୍ଜନ ଦାସ, କଟକର ମେୟର ସୁବାସ ସିଂ, ସମାଜର ସମ୍ପାଦକ ନିରଞ୍ଜନ ରଥ, ଆଇଏଏସ ବିଷ୍ଣୁପ୍ରଦ ସେଠୀ, ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ, ନାୟାଧିଶ ମନୋରଞ୍ଜନ ମହାନ୍ତି, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, କମିଶନର ଅନନ୍ୟା ଦାସ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ , ବ୍ୟଙ୍ଗ କବି ଜ୍ଞାନ ହୋତା ଓ ସମ୍ପଦ ରଥ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ଏହା ଏକ ଐତିହାସିକ ମଞ୍ଚ ଥିଲା । ଏଥିରେ ପନ୍ଦରସହରୁ ଉର୍ଦ୍ଧ୍ୱ ସାହିତ୍ୟିକ ଯୋଗ ଦେଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ୩୬୩ଜଣଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ଡ଼ଃ ମହାପାତ୍ର ଙ୍କ ରଚିତ ଆର୍ଯ୍ୟାବର୍ତ୍ତର ମହା ମନୀଷୀ ଗଣ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏଥିପାଇଁ ଉପସ୍ଥିତ ସାଧୁ ସନ୍ଥ ମାନେ ଭୁୟସୀ ପ୍ରଶଂସା କରିଥିଲେ । ଶ୍ରୀ ମହାପାତ୍ର ଏହା ପୂର୍ବରୁ ବହୁ ଅନୁଷ୍ଠାନ ଦ୍ୱାରା ସମ୍ୱର୍ଦ୍ଧିତ ହୋଇଛନ୍ତି । ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହି ମଞ୍ଚରେ ମଧ୍ୟ ସମାଜସେବୀ ସମ୍ମାନ ଭାବେ କନ୍ଧମାଳର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

Comments (0)
Add Comment