ପାକିସ୍ତାନ ବିପକ୍ଷରେ ଶ୍ରୀଲଙ୍କାର ବିଜୟ ପରେ ବଦଳିଲା ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲ, ଜାଣନ୍ତୁ ଭାରତର ସ୍ଥିତି କ’ଣ

ନୂଆଦିଲ୍ଲୀ : ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୨୪୬ ରନ୍‌ରେ ପରାସ୍ତ କରିଛି । ପାକିସ୍ତାନର ଏହି ପରାଜୟ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ପଏଣ୍ଟ ଟେବୁଲରେ ଶ୍ରୀଲଙ୍କା ଏବଂ ଭାରତକୁ ଫାଇଦା ହୋଇଛି । ଗଲେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ପରାଜୟ ସହିତ ପାକିସ୍ତାନ ଦଳ ଟେବୁଲର ପଞ୍ଚମ ସ୍ଥାନକୁ ଖସି ଆସିଛି । ପଏଣ୍ଟ ଟେବୁଲରେ ଶ୍ରୀଲଙ୍କାରେ ୫୩.୩୩ ପ୍ରତିଶତ ପଏଣ୍ଟ ରହିଛି ।
ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ୪ ୱିକେଟରେ ଜିତିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ କୌଣସି ଗୋଟିଏ ଇନିଂସରେ ୩୦୦ରନ ଛୁଇଁ ପାରି ନଥିଲା । ଏହି ପରାଜୟ ଯୋଗୁଁ ପାକିସ୍ତାନକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୧-୨୩ ର ପଏଣ୍ଟ ଟେବୁଲରେ ବହୁତ ବଡ ଝଟକା ଲାଗିଛି । ପାକିସ୍ତାନ ଦଳ ୫୧.୮୫ ପ୍ରତିଶତ ପଏଣ୍ଟ ସହ ପଞ୍ଚମ ସ୍ଥାନକୁ ଖସି ଆସିଛି । ଭାରତ ୫୨.୦% ସ୍କୋର ସହିତ ଚତୁର୍ଥ ସ୍ଥାନ ବଜାୟ ରଖିଛି
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯିବା ରାସ୍ତା ଭାରତ ପାଇଁ କଷ୍ଟସାଧ୍ୟ
ଭାରତକୁ ବାଂଲାଦେଶ ବିପକ୍ଷରେ ଦୁଇଟି ଏବଂ ଅଷ୍ର୍ଟ୍ରେଲିଆ ବିପକ୍ଷରେ ଚାରିଟି ଟେଷ୍ଟ ଖେଳିବାକୁ ପଡିବ । ଯଦି ଭାରତ ସମସ୍ତ ଟେଷ୍ଟରେ ଜିତେ ତେବେ ତାଙ୍କର ବିଜୟ ପ୍ରତିଶତ ୬୮.୦୫ ପ୍ରତିଶତ ହେବ । ଯଦି ଏହା ଘଟେ ଭାରତ ଫାଇନାଲରେ ପହଞ୍ଚି ପାରିବେ । ଯଦି ସେମାନେ ଏହି ୬ଟି ଟେଷ୍ଟ ମଧ୍ୟରୁ ଗୋଟିଏ ମଧ୍ୟ ହାରନ୍ତି, ତେବେ ଭାରତର ବିଜୟ ପ୍ରତିଶତ ୬୨.୦୫ ପ୍ରତିଶତ ହେବ । ଏହା ପରେ ସେମାନଙ୍କୁ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ । ୭୧.୪୩ ପ୍ରତିଶତ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଶୀର୍ଷରେ ଏବଂ ୭୦ ପଏଣ୍ଟ ସହ ଅଷ୍ର୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି ।

Comments (0)
Add Comment