ନୂଆଦିଲ୍ଲୀ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ଆଇପିଏଲର ୧୫ତମ ସଂସ୍କରଣ ପରେ ମଧ୍ୟ ଭାରତରେ ଜାରି ରହିବ ଟି-୨୦ କ୍ରିକେଟର ମଜା। କାରଣ ଭାରତ ସହ ୫ ଟିକିଆ ଟି-୨୦ ସିରିଜ୍ ଖେଳିବାକୁ ଆସିବ ଦକ୍ଷିଣ ଆଫ୍ରିକା। ଆଇପିଏଲ ଶେଷ ହେବାର ପ୍ରାୟ ୧୦ ଦିନ ପରେ ରୋହିତ ଶର୍ମା ଆଣ୍ଡ କୋ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଏହି ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ ଓଡ଼ିଶାର ବାବାଟୀରେ ଖେଳାଯିବ। ଏନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍କୁ ଚୂଡ଼ାନ୍ତ କରିବାକୁ ବିସିସିଆଇର ବୈଠକ ବସିଥିଲା। ଏହି ସମୟରେ ଜୁନ ୯ରୁ ୧୯ ତାରିଖ ଯାଏ ଦୁଇ ଦେଶ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ୍ ଗୁଡ଼ିକ ଯଥାକ୍ରମେ କଟକ, ବିଶାଖାପଟନମ, ଦିଲ୍ଲୀ,ରାଜକୋଟ ଓ ଚେନ୍ନାଇରେ ଅନୁଷ୍ଠିତ ହେବ। ଏହି ସିରିଜ୍ ପରେ ଭାରତୀୟ ଟିମ ଅଧା ରହିଥିବା ଟେଷ୍ଟ ସିରିଜ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବ।