ଓଡିଆ ପୁଅ ଶୁଭ୍ରାଂଶୁଙ୍କୁ କିଣିଲା ସିଏସକେ

କଟକ : ଓଡିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍‌ସ ଆଜି ତାଙ୍କ ଦଳରେ ସାମିଲ କରିଛି । ଚେନ୍ନାଇ ଦଳ ତାଙ୍କ ବେସ ପ୍ରାଇସ ୨୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଥିବା ଜଣାପଡିଛି । ଶୁଭ୍ରାଂଶୁ ଓଡିଶାର କେନ୍ଦୁଝର ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ଜଣେ ମଧ୍ୟମଗତି ପେସର ସହ ଡାହଣହାତୀ ବ୍ୟାଟ୍ସମ୍ୟାନ । ସେ ବିଦର୍ଭ ବିପକ୍ଷରେ ୨୦୧୬ରେ ପ୍ରଥମ ଶ୍ରେଣୀ ମ୍ୟାଚରେ ଡେବ୍ୟୁ କରିଥିଲେ । ୨୫ ବର୍ଷୀୟ ଶୁଭ୍ରାଂଶୁ ପ୍ରଥମଶ୍ରେଣୀ କ୍ରିକେଟରେ ୩୪ଟି ମ୍ୟାଚ୍ ଖେଳି ୪୭.୮୩ ହାରରେ ୧୮୫୪ ରନ୍ କରିଛନ୍ତି। ସେ ଲିଷ୍ଟ-ଏ’ କ୍ରିକେଟରେ ୩୨ ମ୍ୟାଚରେ ୪୧.୧୬ ହାରରେ ୯୮୮ ରନ୍ କରିଛନ୍ତି। ଟି-୨୦ରେ ମଧ୍ୟ ଶୁଭ୍ରାଂଶୁଙ୍କୁ ପ୍ରଦର୍ଶନ ଭଲ ରହିଛି। ଶୁଭ୍ରାଂଶୁ ଘରୋଇ ଟି-୨୦ରେ ୨୬ ମ୍ୟାଚ୍ ଖେଳି ୨୮.୯୫ ହାରରେ ୬୩୭ ରନ୍ କରିଛନ୍ତି।

ଏହା ପୂର୍ବରୁ ଓଡ଼ିଶାର ୫ ଜଣ ଖେଳାଳିଙ୍କ ନାଁ ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପଠାଇଥିଲା। କିନ୍ତୁ ସେଥିମଧ୍ୟରୁ ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତିଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଥିଲା। ତେବେ ଓସିଏ ଶୁଭ୍ରାଂଶୁ ଓ ଅଭିଷେକଙ୍କ ନାଁ ଆଇପିଏଲ୍ ନିଲାମ ପାଇଁ ପଠାଇଥିଲା। ଦୁହେଁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ। ଆଉ ଏହି ପ୍ରଦର୍ଶନ ଆଧାରରେ ଦୁହିଁଙ୍କୁ ନିଲାମରେ ସାମିଲ୍ କରାଯାଇଛି। ଏବେ ଶୁଭ୍ରାଂଶୁ ନିଲାମ ହୋଇଥିବା ବେଳେ ଅଭିଷେକଙ୍କ ଭାଗ୍ୟ ଫିଟୁଛି କି ନାହିଁ, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ।

ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶା ଦଳର ଷ୍ଟାର୍ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ୱିକେଟକିପର ହଳଧର ଦାସଙ୍କ ଭଳି ଖେଳାଳି ଆଇପିଏଲ୍ ଖେଳିବାର ସୁଯୋଗ ପାଇଛନ୍ତି। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ଦଳଧର ଡେକାନ୍ ଚାର୍ଜର୍ସ ଟିମ୍ ପକ୍ଷରୁ ଖେଳଛନ୍ତି।

Comments (0)
Add Comment