ପୁରୀ : ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ପୁରୁଷ ବିଭାଗ ଫାଇନାଲ ମ୍ୟାଚ ଢେଙ୍କାନାଳ ଓ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କଟକ (୨୭ ପଏଣ୍ଟ) ଚମ୍ପିୟନ ହୋଇଥିବା ବେଳେ ଢେଙ୍କାନାଳ (୧୬ ପଏଣ୍ଟ) ରନର୍ସଅପ ହୋଇଛି । ଅନ୍ୟପକ୍ଷରେ ସେମି ଫାଇନାଲରେ କଟକ (୩୪ ପଏଣ୍ଟ) ଠାରୁ ଓଡିଶା ପୋଲିସ (୩୨ ପଏଣ୍ଟ) ଓ ଢେଙ୍କାନାଳ (୨୭ ପଏଣ୍ଟ) ଦ୍ୱାରା ନୂଆପଡା (୨୫ ପଏଣ୍ଟ) ପରାଜିତ ହୋଇ ଉଭୟ ଓଡିଶା ପୁଲିସ ଏବଂ ନୂଆପଡା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ସେହିଭଳି ମହିଳା ବିଭାଗରେ ପୂର୍ବତଟ ରେଳବାଇ ଓ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚରେ ପୂର୍ବତଟ ରେଳବାଇ ( ୩୮ ପଏଣ୍ଟ) ଚମ୍ପିୟନ ହୋଇଥିବା ବେଳେ ଓ ଢେଙ୍କାନାଳ (୧୩ ପଏଣ୍ଟ) ରନର୍ସ ଅପ ହୋଇଛନ୍ତି । ସେହିଭଳି ମହିଳା ବିଭାଗ ସେମି ଫାଇନାଲରେ ପୂର୍ବତଟ ରେଳବାଇ (୪୫ ପଏଣ୍ଟ) ଦ୍ୱାରା କିଟ ବିଶ୍ୱବିଦ୍ୟାଳୟ (୮ ପଏଣ୍ଟ) ଓ ଢେଙ୍କାନାଳ(୨୯ ପଏଣ୍ଟ) ଦ୍ୱାରା ଗଞ୍ଜାମ (୨୬ ପଏଣ୍ଟ) ପରାଜିତ ହୋଇ କିଟ ବିଶ୍ୱବିଦ୍ୟାଳୟ ଏବଂ ଗଞ୍ଜାମ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ।
ପ୍ରତ୍ୟେକ ଚମ୍ପିୟନ ଟିମକୁ ୩୦ ହଜାର ଟଙ୍କା, ରନର୍ସ ଅପ ମାନଙ୍କୁ ୨୦ ହଜାର, ତୃତୀୟ ସ୍ଥାନ ନିମନ୍ତେ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ପ୍ରତ୍ୟେକ ବିଭାଗରୁ ୩ ଜଣ ଶ୍ରେଷ୍ଠ ଖେଳାଳି ମାନଙ୍କୁ ପ୍ରତ୍ୟେକ ୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।
ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସଂପାଦକ ରବି ପ୍ରତିହାରୀ ପ୍ରମୁଖ କୋଚ ଏବଂ ଅଫିସିଆଲ ମାନଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଖେଳାଳି, କବାଡି ପ୍ରଶିକ୍ଷିକା ସଂହିତା ଦାସ, ଜୁଡୋ ପ୍ରଶିକ୍ଷିକା ସବିତା ନନ୍ଦ ଓ ଟିମ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।