ବୌଦ୍ଧରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ: ଆଜିଠାରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଟ୍ରଫି ବୌଦ୍ଧ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ବୌଦ୍ଧ ଷ୍ଟାଡିଅମ ଠାରେ ସୋମବାର ଅପରାହ୍ନରେ ୧୫ ବର୍ଷରୁ କମ୍ ଫୁଟବଲ ଖେଳାଳିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଟ୍ରଫି ଉଦଘାଟିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ ଚରଣ ସ୍ୱାଇଁ, ଜିଲ୍ଲା ଫୁଟବଲ ସଙ୍ଘ ସମ୍ପାଦକ ଯୁଗଳ କିଶୋର ସାମଲ, ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳୀ ସତ୍ୟ ପ୍ରକାଶ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ, ଫୁଟବଲ ଆସୋସିଏସନ ଓଡିଶା ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତମାସ ୭ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଷ୍ଟାଡିଅମରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ବୌଦ୍ଧ ଜିଲ୍ଲାର ସମୁଦାୟ ଆଠ ଗୋଟି ଦଳ ଅଂଶଗ୍ରହଣ କରିଛନ୍ତି । ଆଜି ଉଦ୍ଘାଟନୀ ମ୍ୟାଚରେ ଫ୍ରେଣ୍ଡସ କ୍ଲବ ମୁଣ୍ଡପଡା ଦଳ ଭିଏସଏସ କ୍ଲବ ମନୁପାଲି ଦଳକୁ ୭-୦ ଗୋଲରେ ପରାଜିତ କରିଥିଲା । ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ଫୁଟବଲ ସମେତ ବିଭିନ୍ନ କ୍ରୀଡାର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି ।

Comments (0)
Add Comment