ନବରଙ୍ଗପୁର:କଲିକତାଠାରେ ଅନୁଷ୍ଠିତ ତୃତୀୟ ଜାତୀୟ ପୂର୍ବାଞ୍ଚଳ ଆଇଷ୍ଟକ ଚାମ୍ପିୟନସିପ ୨୦୨୨ ପ୍ରତିଯୋଗିତାରେ ବିଭନ୍ନ ରାଜ୍ୟର ଖେଳାଳିମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଓଡିଶାର ମୋଟ ପଚିଶଗୋଟି ପଦକ ମଧ୍ୟରୁ ନବରଙ୍ଗପୁର ଜିଲ୍ଲାର ଖେଳାଳିମାନେ ନଅ ଗୋଟି ସ୍ୱର୍ଣ୍ଣ, ତିନିଗୋଟି ରୋପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସହ ମୋଟ ତେର ଗୋଟି ମେଡାଲ ଜିତି ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହୋଇଛନ୍ତି । ନବରଙ୍ଗପୁର ଆଇଷ୍ଟୋକ ଖେଳାଳିଙ୍କ ମଧ୍ୟରୁ ଶୁଭଶ୍ରୀ ବିଶ୍ୱାଳ, ତେଜସ୍ୱିନୀ ପୂଜାରୀ, ହିମାଂଶୁ ପଟ୍ଟନାୟକ, ରିତିକ ହରିଜନ, ଋଷିକେଶ ହରିଜନ, ମଣିକଣ୍ଟା ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅସୀମ ବିଶ୍ୱାସ, ଡିମ୍ପଲ ପାତ୍ର ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତାର ଖବର ପ୍ରସାରିତ ହେବା ମାତ୍ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଖେଳାଳିଙ୍କୁ ଡାକି ସମର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ସମେତ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାରେ ଓଡିଶା ଦଳର କୋଚ ଭାବେ ନବରଙ୍ଗପୁରର ହରିଶ ବେହେରା ଦାଇତ୍ୱ ତୁଲାଇ ଥିଲେ । ନବରଙ୍ଗପୁର ଭଳି ଉପାନ୍ତ ଅଂଚଳରୁ ଯାଇ ରାଜ୍ୟକୁ ଗୌରବାନ୍ୱିତ କରିପାରିଥିବାରୁ ଜିଲ୍ଲାର କ୍ରୀଡ଼ାବିତ ମହଲରେ ଖୁସିର ଲହରୀ ଖେଳିଯାଇଛି ।