ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୧୩ ସେପ୍ଟେମ୍ବର ୨୦୨୨ ତଥା ମଙ୍ଗଳବାର ଟ୍ୱିଟରରେ ଏକ ନିଆରା ସଫଳତା ହାସଲ କରିଛନ୍ତି । ବିରାଟ କୋହଲି ହେଉଛନ୍ତି ବିଶ୍ୱର ପ୍ରଥମ କ୍ରିକେଟର, ଯାହାଙ୍କର ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟା ୫୦ ମିଲିୟନ ଅତିକ୍ରମ କରିଛି । ସେ ଏବେ ଭାରତର ତୃତୀୟ ବୃହତ ଟ୍ୱିଟର ଆକାଉଣ୍ଟ ଅଧିକାରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଭାରତରେ ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍ର ଆକାଉଣ୍ଟ ରହିଛି । ତାଙ୍କର ଫୋଲର୍ସଙ୍କ ସଂଖ୍ୟା ୮୨.୩ ମିଲିୟନରୁ ଅଧିକ ରହିଛି । ସେହିପରି ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଫୋଲର୍ସ ସଂଖ୍ୟା ୫୦.୫ ନିୟୁତ ରହିଛି ।
ବିରାଟ କୋହଲି ଟ୍ୱିଟରରେ ସର୍ବାଧିକ ଅନୁସରଣ କରୁଥିବା କ୍ରିକେଟର ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କ ଟ୍ୱିଟରରେ ଅନୁସରଣକାରୀଙ୍କ ସଂଖ୍ୟା ହେଉଛି ୩୭.୮ ନିୟୁତ । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି କ୍ରିକେଟର ଶ୍ରେଷ୍ଟ ୧୦୦ ଟ୍ୱିଟର ଅନୁସରଣ କରୁଥିବା ତାଲିକାରେ ନାହାନ୍ତି । ଏଭଳି ପରିସ୍ଥିତିରେ କ୍ରିକେଟ୍ ଜଗତରେ ଟ୍ୱିଟରରେ ଭାରତର ଏକପାଖିଆ ଜଳୱା ରହିଛି ।