ପୁରୀ : ଆଜିଠାରୁ ପୁରୀ ଜିଲ୍ଲା ଆନ୍ତଃ ବିଦ୍ୟାଳୟ ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଛି । ଏହାକୁ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ପ୍ରଥମ କରି ପୁରୀ ଜିଲ୍ଲାରେ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବାରୁ ସେ ଖୁସି ହେବା ସହ ପିଲାମାନଙ୍କୁ ଖେଳର ମହତ୍ୱ ବିଷୟରେ କ଼ହି ଉତ୍ସାହିତ କରିଥିଲେ । ସକାଳ ୧୦ ଘଟିକା ସମୟରେ ପୁରୀ ସିଂହଦ୍ୱାର ଠାରୁ ସମବେତ କ୍ରୀଡାବିତ୍ ମାନଙ୍କ ଦ୍ୱାରା ଆୟୋଜିତ ଏକ ଜନଜାଗରଣ ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ଏହାକୁ ପୁରୀର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ଜୀବନ ବିନ୍ଦୁ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ବିଭିନ୍ନ ବ୍ଲକରୁ ଆସିଥିବା ସମୁଦାୟ ୨୭୦ କ୍ରୀଡାବିତ୍ ଓ ୫୦ ରୁ ଅଧିକ କ୍ରୀଡା ଶିକ୍ଷକ ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ୱଜିତ ଘୋଷ୍, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୂଷଣ ସମରଥା,ଗୋପ ଓ ସତ୍ୟବାଦୀ ବ୍ଲକର ଶିକ୍ଷାଧିକାରୀ ସୁଶୀଲ କୁମାର ବ୍ରହ୍ମା ଓ ଶ୍ରୀମତୀ ଭବମ୍ ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ, ପୁରୀ, ମହେନ୍ଦ୍ର କୁମାର ବିଶ୍ୱାଳ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ । ବିଧାୟକ ଷଡଙ୍ଗୀ ପ୍ରଥମ କିକ୍ ମାରି କ୍ରୀଡା ଆରମ୍ଭ କରିଥିଲେ । ପ୍ରଥମ ବାଳିକା ମ୍ୟାଚ ସତ୍ୟବାଦୀ ଓ କଣାସ ମଧ୍ୟରେ ଖେଳା ଯାଇଥିଲା । ଶିକ୍ଷକ ବିଦ୍ୟାଧର ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।