ବୌଦ୍ଧ, ୧୭/୮:- ବୌଦ୍ଧ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରେ ଆୟୋଜିତ ୬୫ ତମ ଷ୍ଟେଟ ସିନିଅର ଫିଡେ ରେଟିଂ ଚେସ ଚମ୍ପିୟାନସିପ ୨୦୨୫ ରେ ଯୋଗଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ଅଲ ଓଡିଶା ଚେସ ଆସୋସିଏସନ ସହାୟତାରେ ବୌଦ୍ଧ ଜିଲ୍ଲା ଚେସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ଚମ୍ପିୟାନସିପ ର ତୃତୀୟ ସନ୍ଧ୍ୟାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇଥିଲେ।
ସର୍ବ ଭାରତୀୟ ଚେସ ଫେଡେରେସନର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅଗଷ୍ଟ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଥିବା ଏହି ଚେସ ଚମ୍ପିୟାନସିପ ଅବସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଏବଂ ବୌଦ୍ଧ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ଚେୟାରମ୍ୟାନ ଯୁଗଳ କିଶୋର ସାମଲ ଉପସ୍ଥିତ ଥିଲେ।
ରାଜ୍ୟ ଚେସ ସଙ୍ଘ ଉପ ସଭାପତି ତଥା ବୌଦ୍ଧ ଜିଲ୍ଲା ଚେସ ସଙ୍ଘ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ ଅତିଥି ଏହି ପ୍ରତିଯୋଗିତା ଆୟୋଜନ ନିମନ୍ତେ ଖୁସିବ୍ୟକ୍ତ କରିବା ସହ ଆଗାମୀ ରାଉଣ୍ଡ ପାଇଁ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଚମ୍ପିୟାନସିପରେ ୧୨୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୫୦ରୁ ଉର୍ଦ୍ଧ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତର ର ରେଟେଡ଼ ଖେଳାଳି ଭାଗ ନେଇଛନ୍ତି। ରବିବାର ସୁଦ୍ଧା ନିଲସୁ ପଟ୍ଟନାୟକ, ଓମ ଆଦିତ୍ୟ ଖାଡ଼ଙ୍ଗା, ତପନ ବଡମୁଣ୍ଡି, ସ୍ୱପ୍ନିଲ ପ୍ରିୟଦର୍ଶୀ, ତନ୍ମୟ ତାଲୀନ ବେହେରା ପ୍ରତ୍ୟେକ ସାଢେ ୬ ପଏଣ୍ଟ ସହିତ ଆଗୁଆ ଥିବାବେଳେ ସୋମବାର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହେବ।