ମୁକ୍ତାକାଶ ପରିଶ୍ରାଗାର ଏବଂ ଶୌଚାଳୟ ପାଲଟିଛି ଘୁ.ଉଦୟଗିରି ବଜାର ବନ୍ଧ !

ଘୁ.ଉଦୟଗିରି:ଘୁ.ଉଦୟଗିରି ସହରବାସୀଙ୍କ ଜୀବନ ରେଖା ପାଲଟିଥିବା ବଜାର ବନ୍ଧ ଏବେ ବିଲୁପ୍ତ ହେବାକୁ ବସିଲାଣି । ସହର ବାସୀଙ୍କ ଦୈନଦିନ ଜୀବନରେ ଏକ ମୁଖ୍ୟ ଆବଶ୍ୟକତା ମେଣ୍ଟାଉଥିବା ସହରର ଏକ ମାତ୍ର ବଜାର ବନ୍ଧ ଏବେ ପାଲଟିଛି ମୁକ୍ତାକାଶ ଶୌଚାଳୟ ଏବଂ ପରିଶ୍ରଗାର । ବନ୍ଧର ସୌନ୍ଦର୍ଯ୍ୟକରଣ ଏହାର ପୁନରୁଦ୍ଧାର ପାଇଁ ଏନଏସି ବହୁ ଅର୍ଥ ବ୍ୟୟ କରିଥୁବା ନଜିରକୁ ଆସିଛି । ହେଲେ ଏହି ଅର୍ଥ କେଉଁ କାର୍ଯ୍ୟକୁ ନଥିଲା ଭଳି ଲାଗୁଛି । ବନ୍ଧ ସୁରକ୍ଷା ଏବଂ ପରିବେଶ ସୁରକ୍ଷିତ ସମ୍ୱନ୍ଧୀୟ କୌଣସି କାର୍ଯ୍ୟ କରାଯାଉ ନଥିବା ବେଳେ କେବଳ ଯେଉଁ କାର୍ଯ୍ୟରେ ଲାଭ ମିଳିବ, ଠିକାଦାର ଉପକୃତ ହେବା ସହ ଅଧିକାରୀ ଉପକୃତ ହେବେ ସେଇଭଳି କିଛି ତାଳି ପକା କାମ କରି ଅର୍ଥ ହରିଲୁଟ ହେଉଥିବା ବେଳେ ବନ୍ଧର ସୁରକ୍ଷା ଏବଂ ପରିବେଶ ପ୍ରତି କାହାର ନଜର ନାହିଁ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସହରର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିବା ସହ ଜଳ ଉତ୍ସର ରକ୍ଷଣାବେକ୍ଷଣ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ବହୁ ଅର୍ଥ ପ୍ରଦାନ କରିବା ସତ୍ତେ୍ୱ୍ୱ ଘୁ.ଉଦୟଗିରି ସହରର ବଜାର ବନ୍ଧର କୌଣସି ଉନ୍ନତି ନହେବା ପରିତାପର ବିଷୟ । ଗ୍ରାମାଞ୍ଚଳ ମାନଙ୍କରେ ପୋଖରୀ ଗୁଡିକ ପୁନରୁଦ୍ଧାର କରାଯାଇ ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ଘୁ.ଉଦୟଗିରି ଏକ ଏନଏସି ତା ପୁଣି ଦୀର୍ଘ ୪୩ ବର୍ଷର ଏନଏସି ତଥାପି ଉନ୍ନତି ତ ନାହିଁ ପୁଣି ବଜାର ବନ୍ଧ ଇତିହାସ ପାଲଟିବାକୁ ବସିଲାଣି । ବନ୍ଧର ଦୁଇ ପାର୍ଶ୍ୱରେ ଲୋକ ଠିଆ ହୋଇ ପରିଶ୍ରା କରୁଥିବା ବେଳେ ସଞ୍ଜ ନଇଁଲେ ଝାଡା ଫେରୁଛନ୍ତି ଲୋକ । ବନ୍ଧ ଭିତରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଭରି ରହିଛି । ବନ୍ଧର ପାଣି ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନି । ବନ୍ଧ ଚାରିପାଖ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ବନ୍ଧ ଭିତରେ ଦଳ ଭର୍ତି ହୋଇ ପୋତି ହେବାକୁ ଲାଗିଲାଣି । ଏନଏସି କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ସାଜି ଅନ୍ଧ ଧୃତରାଷ୍ଟ୍ର ଭଳି ବସିରହିଛନ୍ତି । ଶହ ଶହ ବର୍ଷର ପୁରୁଣା ବନ୍ଧ ଯାହା ସ୍ଥାନୀୟ ସହର ବାସୀଙ୍କ ଦୈ÷ନଦିନ ଜୀବନର ଏକ ମୌଳିକ ସମସ୍ୟାକୁ ପୂରଣ କରୁଥିଲା ତାହା ବର୍ତ୍ତମାନ ବିଲୁପ୍ତ ହେବକୁ ବସିଲାଣି ।ଏହି ବଜାର ବନ୍ଧର ପୁନରୁଦ୍ଧାର କରିବା ସହ ଏହାର ସୁରକ୍ଷା ,ପରିବେଶ ସୁଧାରି ତୁରନ୍ତ ଏହାର ସୌନ୍ଦର୍ଯ୍ୟକରଣ କରିବାକୁ ସହରବାସୀ ଦାବି କରିଛନ୍ତି ।

Comments (0)
Add Comment