ନୂଆଦିଲ୍ଲୀ; ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ବୈଭବ ନିଜର ଏକ ଫଟୋ ସେୟାର କରି କ୍ୟାପସନରେ “ନୂତନ ଅଧ୍ୟାୟ” ଲେଖିଛନ୍ତି, ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ପ୍ରଶଂସକମାନେ ଭାବୁଛନ୍ତି ଯେ ଏହା ତାଙ୍କ ଡେବ୍ୟୁର ସଙ୍କେତ କି ? ଟିମ୍ ଇଣ୍ଡିଆରେ ଡେବ୍ୟୁ ଅପେକ୍ଷାରେ ଥିବା ୧୫ ବର୍ଷୀୟ ବୈଭବଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ନୂଆ ବତର୍କ ସୃଷ୍ଟି କରିଛି । କାରଣ ବୈଭବଙ୍କ ଡେବ୍ୟୁକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ବି ଆସୁଛି । ବୈଭବଙ୍କ ଏହି ପୋଷ୍ଟ ଡେବ୍ୟୁର ସଙ୍କେତ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି ।
ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ଶୁକ୍ରବାର ତାଙ୍କର ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଏକ ବ୍ୟାଟ୍ ଉଠାଇ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି । ଏହା ଉପରେ ସେ କ୍ୟାପସନରେ ଲେଖିଛନ୍ତି ‘ନୂଆ ଅଧ୍ୟାୟ’ (New Chapter) । ଏହି ଦୁଇଟି ଶଦ୍ଦ ଏବେ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । ଏହାର କିଛି ଘଣ୍ଟା ପୂର୍ବରୁ, ଶୁକ୍ରବାର ମାଞ୍ଚେଷ୍ଟରରେ ଏକ ପ୍ରେସମିଟରେ, ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ମାର୍ନେ ମୋର୍କେଲ ଏପରି ଏକ ବୟାନ ଦେଇଥିଲେ, ଯାହା ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବୈଭବଙ୍କ ଡେବ୍ୟୁ ସମ୍ଭାବନା ଉପରେ ପ୍ରଶ୍ନ ଉଠାଇଥିଲା ।