ସୁବର୍ଣ୍ଣପୁର: ସୋନପୁର ସ୍ଥିତ ଗାନ୍ଧୀ ପଡିଆରେ ଚାଲିଥିବା ସୋନପୁର ପ୍ରିମିୟର ଲିଗର ପଞ୍ଚମ ମ୍ୟାଚ ମଣ୍ଟୁ ୱାରିୟର୍ସ ଓ ଟିମ ସମଲେଶ୍ୱରୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ମଣ୍ଟୁ ୱାରିୟର୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ବିଶାଳ ୨୧୩ ରନ ସଂଗ୍ରହ କରିଥିଲେ । ମଣ୍ଟୁ ୱାରିୟର୍ସ ଦଳର ଅଧିନାୟକ ଅଭିଳାଷ ନାୟକ ଧୂଆଁଧାର ବ୍ୟାଟିଂ କରି ଚମତ୍କାର ଢଙ୍ଗରେ ୧୨୨ ରନ ସ୍କୋର କରିଥିଲେ । ସେ ମାତ୍ର ୫୨ ଟି ବଲର ସମ୍ମୁଖୀନ ହୋଇ ୯ଟି ଛକା ଓ ୧୩ ଟି ଚଉକା ସହାୟତାରେ ଏସପିଏଲର ପ୍ରଥମ ଶତକ ଅର୍ଜନ କରିଥିଲେ । କିଷାନଲାଲ ସାଗର ୨୬ ରନ (୨୬) ବଲ, କୁନାଲ ପଣ୍ଡା ୨୨ ରନ (୧୩) ବଲ ଓ ଉମାଶଙ୍କର ହୋତା ୧୩ରନ (୧୧) ବଲର ଯୋଗଦାନ କରିଥିଲେ । ସମଲେଶ୍ୱରୀ ପକ୍ଷରୁ ରାଜା ବିଶ୍ୱଜିତ ୨ଟି ଏବଂ ଯଦୁଲାଲ ନନ୍ଦ ଓ ରାଜା ନାୟକ ପ୍ରତ୍ୟେକ ୧ଟି କରି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ସମଲେଶ୍ୱରୀ ଦଳ ସମସ୍ତ ଉଇକେଟ ହରାଇ ୧୭୫ରନ କରିବାକୁ ସକ୍ଷମ ହୋଇପାରିଥିଲା । ଦଳ ପକ୍ଷରୁ ଯଦୁଲାଲ ନନ୍ଦ ୩୫ରନ (୨୫ ବଲ ), ପ୍ରବୀଣ ଲୁହା ୫୭ ରନ (୩୫ବଲ ), ଓ ସୌରଭ ନାୟକ ୩୫ରନ (୧୮ବଲ ) ସ୍କୋର କରିଥିଲେ । ମଣ୍ଟୁ ୱାରିୟର୍ସ ପକ୍ଷରୁ ଉମାଶଙ୍କର ହୋତା ଓ ସୌରଭ ତରିଆ ପ୍ରତ୍ୟେକ ୩ ଟି ଏବଂ ପରଦେଶୀ ନିଶାଦ, ମନୋଜ ବଡ଼ ଚାଟ ଓ କୁନାଲ ପଣ୍ଡା ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ମ୍ୟାଚର ଶ୍ରେଷ୍ଠ ଖେଳାଳୀ, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ କମାଲ କ୍ୟାଚ ପୁରସ୍କାର ହାସଲ କରିଥିଲେ ମଣ୍ଟୁ ୱାରିୟର୍ସ ଦଳର ଅଧିନାୟକ ଅଭିଳାଷ ନାୟକ । ଶ୍ରେଷ୍ଠ ବୋଲର ପୁରସ୍କାର ମଣ୍ଟୁ ୱାରିୟର୍ସ ଦଳର ଉମାଶଙ୍କର ହୋତାଙ୍କୁ ପ୍ରଦାନ କରାଯାଇଥିଲା । ମ୍ୟାଚ ଶେଷରେ ବିଶିଷ୍ଟ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଅତିଥି ଭାବରେ ଯୋଗ ଦେଇ ସମସ୍ତ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚର ପରିଚାଳନା କରିଥିଲେ ଶ୍ୟାମ ସୁନ୍ଦର ପଣ୍ଡା ଓ ଶ୍ରୀ ବନ୍ତ ନାୟକ । ଅନଲାଇନ ସ୍କୋରିଙ୍ଗ କରିଥିଲେ ଦୀନେଶ ଘିବିଲା ଓ ବିଷ୍ଣୁ ନାୟକ । ଧାରାବିବରଣୀ ପ୍ରଦାନ କରିଥିଲେ ବିଏସ ରାଓ, ଅଚ୍ୟୁତ ମିଶ୍ର, ସରୋଜ ନନ୍ଦ ଓ ମାନସ ଦାସ ।