ନୂଆଦିଲ୍ଲୀ : ଆଇପିଏଲ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶରେ କ୍ରମାଗତ ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଆଇପିଏଲ ୨୦୨୨ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦିଆଯାଇପାରେ । ଆଇପିଏଲର ସମସ୍ତ ଲିଗ୍ ମ୍ୟାଚ ମହାରାଷ୍ଟ୍ରରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚିତ କରାଯାଇଛି । ମହାରାଷ୍ଟ୍ରର କରୋନା ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ଆଇପିଏଲ୍ ମ୍ୟାଚ୍ ସମୟରେ ୨୫ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିଳିପାରେ । ମହାରାଷ୍ଟ୍ରର ୩ ଟି ଷ୍ଟାଡିୟମ୍ – ୱାଙ୍ଖଡେ, ବ୍ରାବୋର୍ନ୍ ଏବଂ ନାଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ ଆଇପିଏଲ୍ ୨୦୨୨ ପାଇଁ ସର୍ଟଲିଷ୍ଟ କରାଯାଇଛି । ଯଦି ଆବଶ୍ୟକ ହୁଏ, ପୁଣେ ମଧ୍ୟ ଏକ ସ୍ଥାନ ଭାବରେ ବ୍ୟବହୃତ ହେବ ।
ଟାଇମ୍ସ ଅଫ୍ ଇଣ୍ଡିଆ ସୂତ୍ରରୁ ପ୍ରକାଶ ଯେ, ମହାରାଷ୍ଟ୍ର ଏବଂ ପୁଣେରେ କରୋନା ମାମଲା ହ୍ରାସ ପାଉଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଏଭଳି ପରିସ୍ଥିତିରେ, ଆଇପିଏଲ ସମୟରେ ଯଦି ପଜିଟିଭ ସଂଖ୍ୟା ଅଧିକ ନଥାଏ ତେବେ ସେତେବେଳେ ରାଜ୍ୟ ସରକାର ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦେଇପାରିବେ । ମହାରାଷ୍ଟ୍ରରେ ରିଲିଫ୍ ଏବଂ ପୁନର୍ବାସ ମୁଖ୍ୟ ସଚିବ ଅସୀମ ଗୁପ୍ତାଙ୍କ ସହ ବିସିସିଆଇ ଅଧିକାରୀଙ୍କ ବୈଠକ ପରେ ସୂତ୍ରରୁ ଏହା ଜଣାପଡିଛି ।
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଡିସେମ୍ବର ମାସରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଯେଉଁଠାରେ ୨୫% ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇପିଏଲର ପ୍ଲେ ଅଫ୍ ମ୍ୟାଚ୍ ହେବାକୁ ଥିବା ବେଳେ ମହାରାଷ୍ଟ୍ରରେ ଆଇପିଏଲର ୧୫ ତମ ସିଜନର ସମସ୍ତ ଲିଗ୍ ମ୍ୟାଚ୍ ଆୟୋଜନ କରିବାକୁ ଚିନ୍ତା କରାଯାଉଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ଶେଷ ସୁଦ୍ଧା ଆଇପିଏଲ ୨୦୨୨ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଯଦିଓ ବିସିସିଆଇ ଏହାର ଅଫିସିଆଲ୍ ତାରିଖ ଘୋଷଣା କରିନାହିଁ ।