ଦୀର୍ଘଦିନ ପରେ ପଡ଼ିଆକୁ ଫେରିଲେ ହକି ଟିମ୍‌

ନୂଆଦିଲ୍ଲୀ : ଦୀର୍ଘ ୭୦ ଦିନର ବ୍ୟବଧାନ ପରେ ହକି ଖେଳାଳିମାନେ ଷ୍ଟାଡ଼ିୟମକୁ ଫେରିଛନ୍ତି । ଭାରତୀୟ ହକି ଟିମ୍‌ର ସଦସ୍ୟମାନେ ଷ୍ଟାଡ଼ିୟମରେ ଖୁବ୍ ଉତ୍ସାହିତ ଥିବା ପରିଲକ୍ଷିତ ହୋଇଥିଲା । ସେମାନେ ସାମାଜିକ ଦୂରତା ନିୟମ ପାଳନ କରି ଅଭ୍ୟାସ କରିଥିଲେ । ମାର୍ଚ୍ଚ ୨୫ ତାରିଖରୁ ଲକଡାଉନ୍ ଜାରି ହେଲା ପରଠାରୁ ଷ୍ଟାଡ଼ିୟମରେ ହକି ଖେଳାଳିଙ୍କର ଏହା ପ୍ରଥମ ପଦାର୍ପଣ । ସେମାନେ ବିଭାଜିତ ହୋଇ ଅଭ୍ୟାସ କରିଥିଲେ । ଟିମ୍‌ଗୁଡ଼ିକ ଦୁଇଟି ଗ୍ରୁପରେ ବିଭାଜିତ ହୋଇଥିଲା । ତାହାର ଅଧା ହକି ଷ୍ଟିକ୍ ସହ ଟର୍ଫରେ ଖେଳିଥିଲେ । ଦୁଇ ଦଳ ଦୂରତା ରକ୍ଷା କରି ଖେଳିବା ଅବଶ୍ୟ କଷ୍ଟକର ଥିଲା । କାରଣ ଏଭଳି ଭାବରେ ଖେଳିବା ସହିତ ସେମାନେ ଅଭ୍ୟସ୍ତ ନୁହଁନ୍ତି । ପୁରୁଷ ଖେଳାଳିଙ୍କ ଭଳି ମହିଳା ଖେଳାଳିମାନେ ଗତକାଲି ସକାଳେ ଫୁଟବଲ୍ ଗ୍ରାଉଣ୍ଡରେ ଅଭ୍ୟାସ କରିଥିଲେ । ସେମାନେ ଫିଟ୍‌ନେସ୍ ସ୍ଥିତି ପରଖିବା ପାଇଁ ଶିବିରରେ ଯୋଗ ଦେଇଥିଲେ । ପୁରୁଷ ଖେଳାଳିମାନେ ମଧ୍ୟ ଏହି ଫିଟ୍‌ନେସ୍ ଟେଷ୍ଟର ସମ୍ମୁଖୀନ ହୋଇଥିଲେ । ଆଜି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ପୂର୍ଣ୍ଣାଙ୍ଗ ଅଭ୍ୟାସ ସମ୍ଭବ ହୋଇନଥିଲା । କାର୍ଯ୍ୟକ୍ରମ ପ୍ରାୟ ଫିଟ୍‌ନେସ୍ ଓ ଅନ୍ୟାନ୍ୟ କାର୍ଯ୍ୟରେ ସୀମିତ ରହିଥିଲା । ଗ୍ରାଉଣ୍ଡରେ ମୁଖ୍ୟ କୋଚ୍‌ମାନଙ୍କୁ ଦେଖିବାକୁ ମଳିଥିଲା । ସହକାରୀ କୋଚ୍ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ମହିଳା ଓ ପୁରୁଷ ଟିମ୍‌ର ମ୍ୟାନେଜେମଣ୍ଟ ଷ୍ଟାଫ୍ କିଛି ସଂଖ୍ୟାରେ ଏଥିରେ ସାମିଲ୍ ହୋଇଥିଲେ । କ\’ଣ କରିବାକୁ ପଡ଼ିବ, ତାହା ପ୍ରଥମରୁ ଖେଳାଳିମାନଙ୍କୁ ସୂଚାଇ ଦିଆଯାଇଥିଲା । ଏଣିକି ଧିରେ ଧିରେ ଏହି କାର୍ଯ୍ୟକ୍ରମ ଜାରି ରହିବ । ଲକ୍‌ଡାଉନ୍ କଟକଣା ସଂପୂର୍ଣ୍ଣ ଭାବେ ପ୍ରତ୍ୟାହୃତ ହେବା ପର୍ଯ୍ୟନ୍ତ ଖେଳାଳିମାନଙ୍କୁ ଫିଟ୍ ରଖିବା ଲାଗି ଉଦ୍ୟମ ଜାରି ରହିବ ବୋଲି ଜଣେ କୋଚ୍ କହିଛନ୍ତି ।

Comments (0)
Add Comment