ଜାତୀୟ କ୍ରୀଡ଼ା ଶିବିର ନିଶ୍ଚୟ ହେବ

ନୂଆଦିଲ୍ଲୀ : ଆଥଲେଟ୍ମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାମ୍ପ ବା ଜାତୀୟ କ୍ରୀଡ଼ା ଶିବିର ନିଶ୍ଚୟ ଆୟୋଜନ ହେବ । ଏହାକୁ ବାତିଲ୍ କରାଯିବ ନାହିଁ କି ବିଳମ୍ବିତ ମଧ୍ୟ କରାଯିବ ନାହିଁ । ଅଲିମ୍ପିକ୍କୁ ଆଖି ଆଗରେ ରଖି ସରକାର ଏଭଳି ସ୍ଥିର କରିଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜୁଜୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଆମେ ସମସ୍ତେ ଏକ ଗୁରୁତର ପରିସ୍ଥିତି ଦେଇ ଗତି କରୁଛୁ । କରୋନା ମହାମାରୀ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଆମର ଅଲିମ୍ପିକ୍ ଆଥଲେଟଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବା ନେଇ ଯଦିଓ ନିଷ୍ପତ୍ତି ନେଇଛୁ; କିନ୍ତୁ ସର୍ବାଧିକ ସତର୍କତା ଅବଲମ୍ବନ କରାଯିବ । କାରଣ ଆଥଲେଟମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଆମର ସବୁଠୁ ବଡ଼ ପ୍ରାଥମିକତା । ଆଥଲେଟ୍ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଉଛି । କିନ୍ତୁ ଏହି ପରିସ୍ଥିତି ଯୋଗୁଁ ଆମେ ଆଥଲେଟ୍ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଳମ୍ବିତ କରାଇ ସେମାନଙ୍କୁ ଅସୁବିଧାରେ ପକାଇ ପାରିବୁ ନାହିଁ । ତେଣୁ ପ୍ରଶିକ୍ଷଣ ଶିବିର ନିଶ୍ଚିତ ଭାବରେ ହେବ । ସବୁ ଦିଗକୁ ଅନୁଧ୍ୟାନ କରାଯାଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଆଥଲେଟ୍ମାନେ ଶିବିରରେ ଅଂଶଗ୍ରହଣ କରିବା ସମୟରେ ସମସ୍ତ ପ୍ରକାର ନିୟମକୁ ପାଳନ ମଧ୍ୟ କରିବେ । ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଜନିତ ଚ୍ୟାଲେଞ୍ଜ୍ ଆହୁରି ବଢ଼ିଯାଇଛି । ବେଙ୍ଗାଲୁର ଭଳି ସହରରେ କଟକଣା ଯୋଗୁଁ ଖେଳ ଗତିବିଧି ବ୍ୟାହତ ହୋଇଛି । ତେବେ ଏସବୁ ସତ୍ତେ୍ୱ କଡ଼ା ସତର୍କତା ମଧ୍ୟରେ ଶିବିର ଆୟୋଜିତ ହେବ ବୋଲି ସେ କହିଛନ୍ତି ।

Comments (0)
Add Comment