ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଏଭଳି ଜଣେ ବ୍ୟକ୍ତି, ଯିଏ ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ସେ କେବଳ ଜଣେ ଭଲ ଖେଳାଳି ନୁହଁନ୍ତି, ବରଂ ଭଲ ମଣିଷ ମଧ୍ୟ । କୌଣସି ପରିସ୍ଥିତିରେ ସେ ବିଚଳିତ ହୋଇନଥାନ୍ତି । ବରଂ ଖେଳାଳିମାନଙ୍କୁ ମାନସିକ ବଳ ଦେଇଥାନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି, ସିଏସ୍କେର ସତ୍ତ୍ୱାଧିକାରୀ ଏନ୍ ଶ୍ରୀନିବାସନ୍ । ସେ କହିଛନ୍ତି ଯେ, ଯେହେତୁ ଧୋନି ଅଛନ୍ତି, ତେଣୁ ବ୍ୟସ୍ତ କିମ୍ବା ଆତଙ୍କିତ ହେବାର କୌଣସି କାରଣ ନାହିଁ । ପରିସ୍ଥିତିକୁ ସମ୍ଭାଳି ନେବାର କ୍ଷମତା ତାଙ୍କର ରହିଛି । ଧୋନିଙ୍କର ସ୍ଥିତପ୍ରଜ୍ଞ ଗୁଣ ହିଁ ଦଳର ଆତ୍ମବିଶ୍ୱାସକୁ ଦୃଢ଼ କରିଥାଏ । ଏଥର ମଧ୍ୟ ତାଙ୍କ ଉପସ୍ଥିତି ଦଳ ପାଇଁ ଯଥେଷ୍ଟ ସହାୟକ ହେବ ବୋଲି ଆଶା କରାଯାଏ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଚେନ୍ନାଇ ଦଳର ଖେଳ ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ବୋଲି ଭାବୁନାହୁଁ । ଦଳ ପାଇଁ ସେ ତାଙ୍କର କର୍ତ୍ତବ୍ୟ ନିଶ୍ଚୟ ତୁଲାଇବେ ଏବଂ ଦଳ ଶୀର୍ଷ ସ୍ଥାନକୁ ଯିବା ନେଇ ଆମେ ଆଶାବାଦୀ ବୋଲି ଶ୍ରୀନିବାସନ କହିଛନ୍ତି । ସେ କହିଛନ୍ତି ଯେ, ଧୋନିଙ୍କ ସହିତ ମୋର ସବୁ ବିଷୟରେ ଆଲୋଚନା ହୋଇସାରିଛି । ଚିନ୍ତିତ ନହେବା ପାଇଁ ସେ ମୋତେ ଆଶ୍ୱାସନା ଦେଇଛନ୍ତି । ଧୋନି ଦଳର ସଦସ୍ୟମାନଙ୍କୁ ଏକ ଜୁମ୍ କଲ୍ ମାଧ୍ୟମରେ ଆଲୋଚନା କରିଛନ୍ତି । ସଂପୂର୍ଣ୍ଣ ସୁରକ୍ଷିତ ଓ ନିଶ୍ଚିନ୍ତ ରହିବା ଲାଗି ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।