କୋହଲିବାହିନୀ ଅଷ୍ଟ୍ରେଲିଆ ବ୍ୟାଟିଂର ଧ୍ୱଂସ ଘଟାଇ ପାରିବେ

ନୂଆଦିଲ୍ଲୀ : ବିରାଟ କୋହଲି ନେତୃତ୍ୱାଧିନ ବର୍ତ୍ତମାନର ଭାରତୀୟ କ୍ରିକେଟ୍‌ର ବୋଲିଂ ବିଭାଗ ଅତ୍ୟନ୍ତ ସୁଦୃଢ଼ ଓ ଶକ୍ତିଶାଳୀ । ଅଷ୍ଟ୍ରେଲିଆର ବ୍ୟାଟିଂ ଧ୍ୱଂସ ଘଟାଇବାରେ ଏହି ବୋଲିଂ ବିଭାଗ ସକ୍ଷମ ହେବେ ବୋଲି ପୂର୍ବତନ ଓପନର ଗୌତମ ଗମ୍ଭୀର ମତପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟିମ୍‌ ଇଣ୍ଡିଆରେ ଏଭଳି ବୋଲର ଅଛନ୍ତି, ଯେଉଁମାନେ ଷ୍ଟିଭ୍‌ ସ୍ମିଥ୍‌ ଓ ଡାଭିଡ୍‌ ୱାର୍ଣ୍ଣରଙ୍କ ଭଳି ଦୁର୍ଦ୍ଧଷ ବ୍ୟାଟ୍ସମ୍ୟାନ୍‌ଙ୍କୁ ଧରାଶାୟୀ କରିପାରିବେ । ଅଷ୍ଟ୍ରେଲିଆକୁ ହରାଇବାକୁ ହେଲେ ବୋଲିଂ ବିଭାଗକୁ ସବୁବେଳେ ଶକ୍ତିଶାଳୀ କରି ରଖିବାକୁ ପଡିବ । ଏହାକୁ ଚୟନ କମିଟି, କୋଚ୍‌ ଓ ଅଧିନାୟକ ଦୃଷ୍ଟିରେ ରଖିବା ଉଚିତ୍‌ ବୋଲି ସେ ମତ ଦେଇଛନ୍ତି ।
ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ତାରକା ରୋହିତ ଶର୍ମା ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲି ଏଥିରେ ସନ୍ଦେହ ନାହିଁ । ୨୦୧୯ ମସିହାରେ ସେ ଦିନିକିଆର ସର୍ବାଧିକ ରନ୍‌ ହାସଲକାରୀ ରହିବା ସହ ବିଶ୍ୱକପ୍‌ରେ ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ୫ ଶତକ ହାସଲ କରିଥିଲେ । ହେଲେ ଦିନିକିଆ ଓ ଟ୍ୱେଣ୍ଟି-୨୦ ଭଳି ସଫଳତା ସେ ଟେଷ୍ଟ୍‌ରେ ପାଇ ନାହାନ୍ତି । କିନ୍ତୁ ତାଙ୍କ ପୂର୍ବତନ ଦଳୀୟ ସାଥୀ ଗମ୍ଭୀର ଅନୁଭବ କରିଛନ୍ତି ଯେ ରୋହିତ ସଂପ୍ରତି ଟେଷ୍ଟ୍‌ରେ ସଫଳତା ପାଇନଥିଲେ ମଧ୍ୟ ଆଗକୁ ଏଥିରେ ଉନ୍ନତି କରିବେ ।
ସେ ଜଣେ ଚମତ୍କାର ଧଳା ବଲ୍‌ ବ୍ୟାଟ୍ସମ୍ୟାନ୍‌ । ବୀରେନ୍ଦ୍ର ସେହବାଗଙ୍କ ପରେ ତାଙ୍କର ଭଲ କୀର୍ତ୍ତିମାନ ରହିଛି । କିନ୍ତୁ ଟେଷ୍ଟ୍‌ କ୍ରିକେଟ୍‌ ହେଉଛି ଭିନ୍ନ ଧରଣର ବୋଲି ଗମ୍ଭୀର ଷ୍ଟାର ସ୍ପୋର୍ଟ୍ସ ସୋ ‘କ୍ରିକେଟ୍‌ କନେକ୍ଟେଡ୍‌’ରେ ପ୍ରକାଶ କରିଛନ୍ତି । ବୀରୁ ଟେଷ୍ଟ୍‌ରେ ୨ଟି ତ୍ରିଶତକ ହାସଲ କରିଛନ୍ତି । ତେଣୁ ମୋର ବିଶ୍ୱାସ ବୀରୁଙ୍କ ପରି ରୋହିତ ବି ଟେଷ୍ଟ୍‌ରେ ସଫଳ ହେବେ ବୋଲି କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଦିଲ୍ଲୀ ସାଂସଦ ଗମ୍ଭୀର କହିଛନ୍ତି । ରାଜୀବ ଗାନ୍ଧୀ ଖେଳରତ୍ନ ଲାଗି ଚଳିତ ବର୍ଷ ବିସିସିଆଇ ରୋହିତଙ୍କ ନାମ ସୁପାରିସ କରିଛି । ରୋହିତ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଟି-୨୦ କ୍ରିକେଟ୍‌ରେ ୪ ଶତକ ଏବଂ ଦିନିକିଆରେ ସର୍ବାଧିକ ୮ ଥର ୧୫୦ରୁ ଅଧିକ ରନ୍‌ କରିବାର କୀର୍ତ୍ତିମାନ କରିଛନ୍ତି । ୨୦୧୭ରୁ ଏପର୍ଯ୍ୟନ୍ତ ରୋହିତ (୧୮ ଶତକ) ସର୍ବାଧିକ ଦିନିକିଆ ଶତକ ହାସଲକାରୀ । ୨୮ ଶତକ ସହ ସେ ମଧ୍ୟ ସର୍ବକାଳୀନ ସର୍ବାଧିକ ଶତକ ହାସଲକାରୀଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ୨୦୧୯ ବର୍ଷର ଶ୍ରେଷ୍ଠ ଆଇସିସି କ୍ରିକେଟର୍‌ ପୁରସ୍କାରପ୍ରାପ୍ତ ରୋହିତ ଭାରତ ମାଟିରେ ସର୍ବାଧିକ ଅନ୍ତର୍ଜାତୀୟ ଛକା ମାରିବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କଠୁ ଆଗରେ ଅଛନ୍ତି ।

Comments (0)
Add Comment