ହାଡ଼ କିପରି ଭାଙ୍ଗିଲା ବଖାଣିଲେ ଚହଲ

ନୂଆଦିଲ୍ଲୀ ଲେଗ୍ ସ୍ପିନର ଜୁଜୁବେନ୍ଦ୍ର ଚହଲ ଏକ ବିଚିତ୍ର ଅନୁଭୂତି ଭିତରେ ଗତି କରୁଛନ୍ତି । ବର୍ତ୍ତମାନ ଲକ୍‌ଡାଉନ୍ ଯୋଗୁଁ ଘରେ ଆବଦ୍ଧ ହୋଇ ରହୁଛନ୍ତି । ଏହି ସମୟରେ ଆଙ୍ଗୁଠି ଓ ବଳାଗଣ୍ଠି ବ୍ୟାୟାମ କରୁଛନ୍ତି । ନିକଟରେ ଏଭଳି ବ୍ୟାୟାମ ପାଇଁ ସେ ଏକ ଓଦା ଟାୱେଲ୍ ଚିପୁଡିଥିଲେ । ଚିପୁଡିଲା ବେଳେ ବଳାଗଣ୍ଠିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଜଣାପଡ଼ିଥିଲା ଯେ, ତାହାର ଭିତରେ ଚାରୋଟି ହାଡ଼ ଫାଟିଯାଇଛି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଏଭଳି ବିପଦ୍‌ଜନକ ସ୍ଥିତିରେ ସେ ଆଇପିଏଲ୍ ଖେଳିଥିଲେ । ଚହଲ ନିଜେ ଏବେ ଏକଥା ସ୍ୱୀକାର କରିଛନ୍ତି । ଜଣେ ବୋଲର ପାଇଁ ଆଙ୍ଗୁଠି ଓ ବଳାଗଣ୍ଠିର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହା ସେ ଜାଣନ୍ତି । କିନ୍ତୁ ସେତେବେଳେ ସେ କାହିଁକି ଏହି ଯନ୍ତ୍ରଣା ଅନୁଭବ କରିପାରିନଥିଲେ ତାହା କହିନାହାନ୍ତି । ଏବେ ଟାୱେଲ୍ ଚିପୁଡିବା ବେଳେ ହାଡ଼ ଫାଟିଥିବା ଜାଣିବା ପରେ ତା’ର ଚିକିତ୍ସା କରାଇଥିଲେ । ଏକ ୱେବ ସୋ’ କାର୍ଯ୍ୟକ୍ରମ ବେଳେ ସେ ଏହି ସତ୍ୟତା ପ୍ରକାଶ କରିଥିଲେ । ସେ ଏହି କାର୍ଯ୍ୟକ୍ରମରେ ମହିଳା କ୍ରିକେଟର ସ୍ମୃତି ମନ୍ଦନା ଓ ଜେମିମା ରୋଡ୍ରିକ୍ସ ମଧ୍ୟ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପିଭି ସିନ୍ଧୁ, ସାନିଆ ମିର୍ଜା ଓ ରୋହିତ ଶର୍ମାଙ୍କ ଭଳି ତୁଙ୍ଗ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହ ସେମାନଙ୍କର ମତ ଓ ବିଚାର ବିନିମୟ ହୋଇଥିଲା । ଏହାଛଡ଼ା ପୁନମ୍ ଯାଦବ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ତାଙ୍କର ମତାମତ ରଖିଥିଲେ ।

Comments (0)
Add Comment