ମହିଳା ବକ୍ସର ଏଲ୍‌ ସରିତା ଦେବୀ କରୋନା ସଂକ୍ରମିତ

ମୁମ୍ବାଇ : ଭାରତର ମହାମାରୀ କରୋନା ଦିନକୁ ଦିନ ହୁହୁ ହୋଇ ବଢ଼ିଚାଲିଥିବା ବେଳେ ମହିଳା ବକ୍ସର ଏଲ୍‌ ସରିତା ଦେବୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାଁନ୍ତି । ସରିତା ଦେବୀ କରୋନା ସଂକ୍ରମିତ ହୋଇଥିବା କଥା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି । ତାଙ୍କ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଥଣ୍ଡା ଲାଗି ରହିବା ଫଳରେ ଉଭୟ କୋଭିଡ୍‌ ଟେଷ୍ଟ କରାଇଥିଲେ । ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଉଭୟଙ୍କ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇ ନଥିବା ରିପୋର୍ଟରୁ ଜଣାପଡ଼ିଛି । ସରିତା ଦେବୀ ଭାରତର ଅନ୍ୟତମ ସଫଳ ମହିଳା ବକ୍ସର ଭାବେ ପରିଚିତ । ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ୩ଟି ପଦକ ହାସଲ କରିଛନ୍ତି । ୨୦୦୬ରେ ସେ ସ୍ୱର୍ଣ୍ଣ ପଦକ, ୨୦୦୫ ଓ ୨୦୦୮ରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେ ଏସୀୟ ଚାମ୍ପିଅନ୍‌ସିପ୍‌ରେ ୫ଥର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୧୪ ଏସୀୟ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ ।

Comments (0)
Add Comment