ଲଣ୍ଡନ: ଚଳିତ ୱିମ୍ବଲଡନ ଗ୍ରାଣ୍ଡସ୍ଲାମ୍ରେ ଇତିହାସ ରଚିଛନ୍ତି ଏଲେନା ରିବକିନା । କାଜାଖସ୍ତାନର ପ୍ରଥମ ଖେଳାଳି ଭାବେ ସେ କୌଣସି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ସେ ତୃତୀୟ ସିଡ୍ ଟ୍ୟୁନିସିଆ ଖେଳାଳି ଓନ୍ସ ଜାବେଓରଙ୍କୁ ୩-୬, ୬-୨, ୬-୨ ସେଟ୍ରେ ପରାସ୍ତ କରିଥିଲେ । ଉଭୟ ଖେଳାଳି ଏହା ପୂର୍ବରୁ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ ଖେଳି ନଥିଲେ । ଉଭୟ ଦେଶ ପାଇଁ ଗୌରବପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି ହେବାର ସୁଯୋଗ ରହିଥିଲା । ମାନ୍ୟତା ତାଲିକାର ତୃତୀୟ ସ୍ଥାନରେ ରହିଥିବା ଜାବେଓରଙ୍କୁ ଟାଇଟଲ ଦାବିଦାର ରୂପେ ଗଣନା କରାଯାଉଥିଲା । ରିବକିନା ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେମି ଫାଇନାଲ୍ରେ ସିମୋନା ହାଲେପଙ୍କୁ ପରାସ୍ତ କରିବା ପରେ ରିବକିନାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
୬୦ ବର୍ଷ ପରେ ରିବକିନା ଓ ଓନ୍ସ ଜାବେଓର ପ୍ରଥମ କରି ୱିମ୍ବଲଡନ ଫାଇନାଲ୍ ଖେଳିଲେ । ଏହା ପୂର୍ବରୁ ରିବକିନା ଓ ଜାବେଓର ପରସ୍ପରକୁ ୨ଥର ଭେଟିଥିଲେ । ଏଥିରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ । ୨୦୧୯ ଉହାନ ଓପନରେ ରିବକିନା ୬-୧, ୬-୭, ୬-୨ ସେଟ୍ରେ ବିଜୟୀ ହୋଇଥିଲେ। ୨୦୨୧ ଦୁବାଇ ଓପନରେ ଜାବେଓର ୭-୬, ୪-୬, ୬-୨ ସେଟ୍ରେ ବିଜୟ ହାସଲ କରିଥିଲେ।