ସେପ୍ଟେମ୍ବରରେ ଆଇପିଏଲ୍ !

ମୁମ୍ବାଇ : ଆସନ୍ତା ସେପ୍ଟେମ୍ବର ମାସରେ ଆଇପିଏଲ୍ ଆୟୋଜନ ପାଇଁ ବିସିସିଆଇ ଯୋଜନା ପ୍ରସ୍ତୁତ କରିଛି । ସେପ୍ଟେମ୍ବର ୨୬ ତାରିଖରୁ ଆରମ୍ଭ କରିବା ଲାଗି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ଏହି କାର୍ଯ୍ୟସୂଚୀ ଅନୁଯାୟୀ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୮ରେ ଶେଷ ହେବ । ଅର୍ଥାତ୍ ୪୪ ଦିନ ଧରି ଟୁର୍ଣ୍ଣାମେଣ୍ଟ ଚାଲିବ । ମୋଟ ୬୦ଟି ମ୍ୟାଚ୍ ଖେଳାଯିବ । ତେବେ ବିସିସିଆଇର ଏଭଳି କାର୍ଯ୍ୟସୂଚୀକୁ ନେଇ ଟେଲି ପ୍ରସାର ଅଧିକାର ପାଇଥିବା ଷ୍ଟାର୍ ଇଣ୍ଡିଆ ଏବଂ ଫ୍ରାଞ୍ଚାଇଜ୍ମାନେ ଖୁସି ନୁହଁନ୍ତି । ସେମାନେ ନିଜ ନିଜର ଆପତ୍ତି ପ୍ରକାଶ କରିଛନ୍ତି । ଷ୍ଟାର୍ ଚାହୁଁଛି ଯେ, ଦୀପାବଳି ସମୟରେ ଆଇପିଏଲ୍ କରାଯାଉ । ଏଭଳି ହେଲେ ବିଜ୍ଞାପନ ଭଲ ମିଳିପାରିବ । ନଭେମ୍ବର ୧୪ରେ ଦୀପାବଳି ପଡୁଛି । ସେଦିନ ଶନିବାର ପଡୁଛି । ସେହି ସପ୍ତାହରେ ଆଇପିଏଲ୍ ଶେଷ ହେବା ଆବଶ୍ୟକ । ଯେଉଁମାନେ ବିସିସିଆଇର ଖେଳସୂଚୀକୁ ବିରୋଧ କରୁଛନ୍ତି, ସେମାନେ କହିଛନ୍ତି ଯେ, ବିସିସିଆଇ ଯେଭଳି ସମୟ ନିର୍ଦ୍ଧାରଣ କରିଛି, ସେଥିରେ ଅଧିକାଂଶ ମ୍ୟାଚ୍ ଅପରାହ୍ନରେ ରହୁଛି । ଏହାଦ୍ୱାରା ରେଟିଂ ପ୍ରଭାବିତ ହୋଇପାରେ । ତେବେ ଦୀପାବଳି ସମୟରେ ଆଇପିଏଲ୍ ଖେଳ ଆୟୋଜନ କରିବାକୁ ବିସିସିଆଇ କାହିଁକି ଅନାଗ୍ରହ ପ୍ରକାଶ କରୁଛି, ତାହା ଫ୍ରାଞ୍ଚାଇଜ୍ମାନେ ବୁଝିବାକୁ ଅକ୍ଷମ । କ୍ରିକେଟ୍ ଅଷ୍ଟ୍ରେଲିଆକୁ ବିସିସିଆଇ ପ୍ରତିଶ୍ରୁତି ଦେଇଛି ଯେ, ଚଳିତ ବର୍ଷ ଭାରତ ଡାଉନ୍ ଅଣ୍ଡର ପାଇଁ ଗସ୍ତ କରିବ । ଏହି ସମୟରେ ଚାରୋଟି ଟେଷ୍ଟ ଖେଳାଯିବ । ଯାହା ଡିସେମ୍ବର ୩ରୁ ଆରମ୍ଭ ହେବ । ତେଣୁ ତା’ର ବହୁ ପୂର୍ବରୁ ଭାରତକୁ ସେଠାରେ ପହଞ୍ଚିବାକୁ ପଡ଼ିବ । ଏହି କାରଣରୁ ଦୀପାବଳି ସମୟରେ ବିସିସିଆଇ ଆଇପିଏଲ୍ କରିବାକୁ ଚାହୁଁନାହିଁ । ତା’ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮ ଭିତରେ ଆଇପିଏଲ୍ କାମ ତୁଟାଇ ଦେବାକୁ ବୋଡର଼୍ ସ୍ଥିର କରିଛି ।

Comments (0)
Add Comment