୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରହିପାରେ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳାଯିବା ନେଇ ଅନିଶ୍ଚିତତା ଆହୁରି ବଢ଼ିଛି । ଏବର୍ଷ କିମ୍ବା ଆସନ୍ତା ବର୍ଷ ମଧ୍ୟ ବିଶ୍ୱକପ୍ ହୋଇପାରିବ ନାହିଁ । ଏପରିକି ୨୦୨୨ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିବାର ଅଧିକ ସମ୍ଭାବନା ରହିଛି । ଆଜି ଏଭଳି ଏକ ସୂଚନା ମିଳିଛି । ତେବେ ଯଦି ଏହା ହୁଏ, ଆଇପିଏଲ୍ ପାଇଁ ତାହା ଆଶୀର୍ବାଦ ହେବ । କାରଣ ଏଭଳି ନିଷ୍ପତ୍ତି ହେଲେ ଅକ୍ଟୋବରରେ ଆଇପିଏଲ୍ ଆୟୋଜନ ପାଇଁ ପଥ ପରିଷ୍କାର ହୋଇପାରେ । ଆସନ୍ତାକାଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ବୋର୍ଡ଼ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଭିଡ଼ିଓ କନଫରେନ୍ସିଂ କିମ୍ବା ଟେଲି କନଫରେନ୍ସିଂ ଜରିଆରେ ଏହି ବୈଠକ ବସିବ । ସେଥିରେ ଉପରୋକ୍ତ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନିଆଯାଇପାରେ । କରୋନା ସଂକ୍ରମଣ ଲାଗି ରହିଥିବାରୁ ନିକଟ ଭବିଷ୍ୟତରେ ଟି-୨୦ ବିଶ୍ୱକପ୍ ଆୟୋଜନ କରାଯିବାର ସମ୍ଭାବନା ବହୁତ କମ୍ । ତେବେ ଆଇପିଏଲ୍ ପାଇଁ ଅଧିକାଂଶ ସଦସ୍ୟ ରାଷ୍ଟ୍ର ଆଗ୍ର୍ରହୀ ଅଛନ୍ତି । ବର୍ଷ ଶେଷ ଆଡ଼କୁ କରୋନା ସ୍ଥିତି ଅନେକ ମାତ୍ରାରେ ସୁଧୁରି ଯାଇଥିବ ବୋଲି ବିସିସିଆଇ ଆଶା କରୁଛି । ତେଣୁ ଯଦି ଟି-୨୦ ବିଶ୍ୱକପ୍ ୨୦୨୨କୁ ଘୁଞ୍ଚିଯାଏ, ସେ କ୍ଷେତ୍ରରେ ଆଇପିଏଲ୍ ଚଳିତ ବର୍ଷ ଶେଷ ଭାଗ ଆଡକୁ କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବିସିସିଆଇ ସୂତ୍ରରେ କୁହାଯାଇଛି ।

Comments (0)
Add Comment