ବଲରେ ଝାଳ-ଲାଳ ବ୍ୟବହାର ନିଷିଦ୍ଧ ହେଉ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ଭୟାବହତା କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ସମସ୍ତ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି । ତେବେ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ଯେଉଁ ଖେଳ ହେବ ସେତେବେଳେ କେତେକ ସତର୍କତା ଅବଲମ୍ବନ ପାଇଁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି କ୍ରିକେଟ୍ ଖେଳକୁ ନେଇ ଏଭଳି ଚର୍ଚ୍ଚା ଚାଲିଛି । ଝାଳ ଓ ଛେପରୁ ଭାଇରସ ସଂକ୍ରମଣର ଆଶଙ୍କା ରହିଛି । ତେଣୁ ଲକ୍‌ଡାଉନ୍ ପରବର୍ତ୍ତୀ ପ୍ରତିଯୋଗିତା ବେଳେ ବଲରେ ଛେପ ଓ ଝାଳ ବ୍ୟବହାରକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଲାଗି ଭାରତର ପୂର୍ବତନ ଚୟନ କମିଟି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦ ଦୃଢ଼ ଯୁକ୍ତି ଓ ଦାବି ବାମିଛନ୍ତି । ସେ କହିଛନ୍ତି ଯେ, ସାଧାରଣତଃ ବଲ୍‌କୁ ଉଜ୍ଜ୍ୱଳ କରିବା ସହ ଭଲ ଭାବେ ସୁଇଂ କରିବା ପାଇଁ ବୋଲରମାନେ ଝାଳ ଓ ଛେପକୁ ବାରମ୍ବାର ବ୍ୟବହାର କରିଥାନ୍ତି । ତେବେ ବର୍ତ୍ତମାନର ସମୟରେ ଏହାକୁ ବ୍ୟବହାର କରାଯିବା ଅର୍ଥ କରୋନା ରୋଗକୁ ଆମନ୍ତ୍ରଣ କରିବା । ଷ୍ଟାର୍ ସ୍ପୋର୍ଟସ୍‌ର ତେଲୁଗୁ ସୋ\’ ‘କ୍ରିକେଟ୍ କନେକ୍ଟେଡ୍‌- ଫିଲ୍ଡ ଗୁରୁଞ୍ଚି’ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରସାଦ ଏଭଳି ମତାମତ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ବେଳେ ନିୟମରେ କେତେକ ପରିବର୍ତ୍ତନ ନିହାତି ଆବଶ୍ୟକ । ବଲ୍‌କୁ ଚକ୍‌ଚକ୍କିଆ କରିବା ପାଇଁ ଏଭଳି ଉପାଦାନକୁ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏଥିରୁ ଦୁଇଟି ସମସ୍ୟା ଉପୁଜିବ । ଗୋଟିଏ ହେଉଛି ବଲ୍ ଟ୍ୟାମ୍ପରିଂ, ଅନ୍ୟଟି ହେଉଛି ସଂକ୍ରମଣ । ବୋଲିଂ ବେଳେ ଝାଳ ଓ ଛେପ ବ୍ୟବହାର କରିବା ବୋଲରମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଆଗକୁ କିନ୍ତୁ ଏହାକୁ ପରିହାର କରିବାକୁ ପଡ଼ିବ । ନଚେତ୍ ସମସ୍ତେ ଅସୁବିଧାରେ ପଡ଼ିବେ । ଏଭଳି ବ୍ୟବହାରକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ପାଇଁ ଏକ ନିୟମ ପ୍ରଚଳନ କରାଯିବା ନିହାତି ଜରୁରୀ ବୋଲି ସେ କହିଛନ୍ତି । ଆଇସିସି ଯଥାଶୀଘ୍ର ଏହା ଉପରେ ଏକ ନିଷ୍ପତ୍ତି ନେବା ଦରକାର । ଖେଳାଳିମାନଙ୍କର ଏହି ଅସୁବିଧାକୁ ପୂରଣ କରିବା ପାଇଁ କ’ଣ ବିକଳ୍ପ ବ୍ୟବସ୍ଥା ହୋଇପାରିବ ସେ ସଂପର୍କରେ ଆଇସିସି ଚିନ୍ତା କରୁ ବୋଲି ପ୍ରସାଦ କହିଛନ୍ତି ।

Comments (0)
Add Comment