ଚଳିତ ବର୍ଷ ଆଇପିଏଲ୍ ହେବା ନେଇ କୁମ୍ବଲେ ଆଶାବାଦୀ

ବେଙ୍ଗାଲୁର : ଚଳିତ ବର୍ଷ ଯେକୌଣସି ସମୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ହେବା ନେଇ ପୂର୍ବତନ ଭାରତୀୟ ଅଧିନାୟକ ତଥା କିଙ୍ଗସ୍ ଏକାଦଶ ପଞ୍ଜାବର ମୁଖ୍ୟ କୋଚ୍ ଅନୀଲ୍ କୁମ୍ବଲେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ବିନା ଦର୍ଶକରେ ହେଉ ପଛେ ଚଳିତ ବର୍ଷ କିନ୍ତୁ ଆଇପିଏଲ୍ ହେବ । ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରାଯିବାର କୌଣସି ଅସୁବିଧା ହେବ ନାହିଁ । କାରଣ ଏହାକୁ କ୍ରିକେଟ୍‌ପ୍ରେମୀମାନେ ଘରେ ବସି ନିର୍ବିଘ୍ନରେ ଉପଭୋଗ କରିପାରିବେ । କରୋନା ଯୋଗୁଁ ଭିଡ଼ ସଂକ୍ରମଣକୁ ଏଡ଼ାଇବା ପାଇଁ ବିନା ଦର୍ଶକରେ ଆୟୋଜନ କରାଯିବା ଉଚିତ୍ । ତେବେ ଏ ସଂପର୍କରେ ବିସିସିଆଇ ଯାହା କିଛି ନିଷ୍ପତ୍ତି ନେବ । ତେଣୁ ସେପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ବିସିସିଆଇ ଆଇପିଏଲ୍‌ରେ କୌଣସି ନିଷ୍ପତ୍ତି ଘୋଷଣା କରିନାହିଁ । ଅକ୍ଟୋବରରେ ଆଇପିଏଲ୍ ଅୟୋଜନ ହେବା ନେଇ ଜୋରସୋର ଚର୍ଚ୍ଚା ହେଉଛି । କରୋନା ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ସେଥିଯୋଗୁଁ ବହୁ ଖେଳାଳି ଆଶା ଓ ଆଶଙ୍କାରେ ରହିଛନ୍ତି । ଏଥିରେ ବିଦେଶୀ ଖେଳାଳି ଅଂଶଗ୍ରହଣ କରୁଥିବାରୁ ସଂକ୍ରମଣ ଭୟ ରହୁଛି । ତେଣୁ ନିଷ୍ପତ୍ତି ନିଆଯାଇପାରୁ ନାହିଁ । ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି ଯେ, ଯେଉଁ ସହରଗୁଡ଼ିକରେ ଏକାଧିକ ଷ୍ଟାଡ଼ିୟମ ରହିଛି, ସେଠାରେ ମ୍ୟାଚ୍ ଖେଳାଯାଇ ପାରିବ । ଏହାଦ୍ୱାରା ଖେଳାଳିମାନଙ୍କର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା କରିବା ସଂଖ୍ୟାକୁ କମାଇ ଦିଆଯାଇ ପାରିବ । ଅର୍ଥାତ୍ ଗୋଟିଏ ସହର ମଧ୍ୟରେ ହିଁ ଖେଳାଳିମାନେ ରହି ମ୍ୟାଚ୍ ଖେଳିପାରିବେ । ଏହାଦ୍ୱାରା ସଂକ୍ରମଣକୁ ବହୁ ମାତ୍ରାରେ ଦୂର କରାଯାଇପାରିବ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।

Comments (0)
Add Comment