ନୂଆଦିଲ୍ଲୀ : ସୋମବାର ବୈଠକରେ ଆଇସିସି ଚଳିତ ବର୍ଷର ଟି-୨୦ ବିଶ୍ୱକପ୍କୁ ବାତିଲ୍ କରିଦେବା ପରେ ଏବର୍ଷ ଆଇପିଏଲ୍ ଆୟୋଜନ କରାଯିବା ଲାଗି ପଥ ପରିଷ୍କାର ହୋଇଯାଇଛି । ଆଇସିସିର ଏହି ନିଷ୍ପତ୍ତି ପରଠାରୁ ବିସିସିଆଇ ଏ ଦିଗରେ ଅଧିକ ଉତ୍ସାହିତ ହୋଇପଡ଼ିଛି । ବର୍ଷ ଶେଷ ଆଡ଼କୁ ସଂଯୁକ୍ତ ଆରବ ଏମିରେଣ୍ଟ ବା ୟୁଏଇରେ ଆଇପିଏଲ୍ କରିବା ଲାଗି ବିସିସିଆଇ ମନ ସ୍ଥିର କରିନେଇଛି । ଏଥିପାଇଁ ବୋଡର଼୍ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିବ । ଆସନ୍ତା ୧୦ ଦିନ ମଧ୍ୟରେ ଗଭର୍ଣ୍ଣିଂ କାଉନସିଲର ଏକ ବୈଠକ ବସିବ । ସେହି ବୈଠକରେ ଆଇପିଏଲ୍ ନେଇ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ ହେବ । ଚଳିତ ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ପ୍ରାରମ୍ଭ ସମୟ ଭିତରେ ୟୁଏଇରେ ଆଇପିଏଲ୍ ଆୟୋଜନ କରିବା ପାଇଁ ବିସିସିଆଇ ଚାହୁଁଛି । ଖେଳାଳିମାନେ ମଧ୍ୟ ଆଇପିଏଲ୍ ହେଉ ବୋଲି ଚାର୍ହୁଚନ୍ତି ।
ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ମତରେ ଆମେ ସମସ୍ତେ ଚାହୁଁଛୁ କ୍ରିକେଟ ସାଧାରଣ ଅବସ୍ଥାକୁ ଫେରିଆସୁ । କିନ୍ତୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ବାତିଲ ଘୋଷଣା ନ ହେବା ପର୍ଯ୍ୟନ୍ତ ଆମେ ଆଇପିଏଲ୍ ଆୟୋଜନ ସମ୍ପର୍କରେ କିଛି ଯୋଜନା କରିପାରିବୁ ନାହିଁ । ଆମେ ୨୦୨୦ରେ ଆଇପିଏଲ୍ ବାତିଲ ହେବା ଆଦୌ ଚାହୁଁ ନାହୁଁ । କିନ୍ତୁ ଟି-୨୦ ବିଶ୍ୱକପ୍ ବାତିଲ ହେବା ପରେ ଆମକୁ ୩୫ରୁ ୪୦ ଦିନ ମିଳିଲେ ଆମେ ଆଇପିଏଲ୍ ଆୟୋଜନ କରିଦେବୁ ବୋଲି ଗାଙ୍ଗୁଲି କହିଛନ୍ତି । ଯଦି ବାତିଲ ହୁଏ, ତେବେ କେଉଁଠି ଆୟୋଜିତ ହେବ । ଏଭଳି ଏକ ପ୍ରସଙ୍ଗ ଆସିଲେ ଆମେ ନିଶ୍ଚିତ ଭାବେ ଭାରତରେ ଆୟୋଜନ କରିବାକୁ ଚାହିଁବୁ । ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ଦିଲ୍ଲୀରେ ସବୁ ବଡ ବଡ ଟିମ୍ଗୁଡିକ ଅଛନ୍ତି । କିନ୍ତୁ ଆମେ ଏବେ ଛାତିରେ ହାତ ରଖି କହିପାରିବା ନାହିଁ, ଏହି ସବୁ ସ୍ଥାନରେ ଆଇପିଏଲ କରିପାରିବୁ ବୋଲି । ଯଦି ଏହା ସମ୍ଭବ ନହୁଏ, ତେବେ ବିଦେଶ କଥା ଚିନ୍ତା କରିବୁ । ବିଦେଶରେ ଏହି ଲୋଭନୀୟ ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ଲାଗି ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ୟୁଏଇ ପ୍ରସ୍ତାବ ଦେଇଛନ୍ତି ।