ଲି’ ସବୁଠୁ କଷ୍ଟସାଧ୍ୟ ବୋଲର୍‌: ରୋହିତ

ମୁମ୍ବାଇ : ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ତାଙ୍କ ବଡ଼ ବଡ଼ ଶଟ୍ ସକାଶେ ହିଟ୍‌ମ୍ୟାନ୍ ଭାବେ ପରିଚିତ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ନିକଟରେ ତାଙ୍କର ୩୩ତମ ଜନ୍ମଦିନ ପାଳିଥିବା ବେଳେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସମ୍ମୁଖୀନ ହୋଇଥିବା ବୋଲର୍‌ଙ୍କ ମଧ୍ୟରୁ ସବୁଠାରୁ କଷ୍ଟସାଧ୍ୟ ବୋଲର୍‌ଙ୍କୁ ବାଛିଛନ୍ତି । ସେ ପ୍ରଥମେ ଯେତେବେଳେ ଅଷ୍ଟ୍ରେଲିଆର ପେସର୍ ବ୍ରେଟ୍ ଲୀ’ଙ୍କୁ ସମ୍ମୁଖୀନ ହେଲେ, ସେତେବେଳେ ତାଙ୍କ ରାତିର ନିଦ ଉଡ଼ିଯାଇଥିଲା । ଗତ ୨୦୦୭ ସିରିଜ୍‌ରେ ରୋହିତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଖେଳୁଥିବା ବେଳେ ଲୀ’ ତାଙ୍କୁ ବେଶ୍ ହଇରାଣ ହରକତ କରିଥିଲେ । ଫଳସ୍ୱରୂପ ମ୍ୟାଚ୍ ପୂର୍ବଦିନ ତାଙ୍କୁ ରାତିରେ ନିଦ ହେଉ ନ ଥିଲା । ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରୁଥିବା ଏହି ବୋଲର୍‌ଙ୍କ ବଲ୍‌କୁ କିପରି ସମ୍ମୁଖୀନ ହେବେ, ସେଥିନେଇ ରାତିସାରା ଚିନ୍ତା କରୁଥିଲେ ବୋଲି ରୋହିତ କହିଛନ୍ତି । ସେ କହିଛନ୍ତି ଯେ ୨୦୦୭ରେ ଲୀ’ ଟପ୍ ଫର୍ମରେ ଥିଲେ । ସେ ନିୟମିତ ଭାବେ ୧୫୦ରୁ ୧୫୫ କିମି ଘଣ୍ଟା ପ୍ରତି ବେଗରେ ବଲ୍ ପକାଇ ପାରୁଥିଲେ । ତେଣୁ ତାଙ୍କ ପରି ଜଣେ ବେଗବାନ ବୋଲର୍‌ଙ୍କୁ ମୋ ପରି ଜଣେ ଡେବ୍ୟୁଟାଣ୍ଟ୍ କିପରି ସମ୍ମୁଖୀନ ହେବ, ସେହି ଚିନ୍ତାରେ ନିଦ ଗାଏବ ହୋଇଯାଉଥିଲା ବୋଲି ରୋହିତ କହିଛନ୍ତି । ବର୍ତ୍ତମାନ ଲୀ’ ଅବସର ନେଇସାରିଥିବା ବେଳେ ଏବେ ଅଷ୍ଟ୍ରେଲିଆ ଦଳର ଆଉ ଜଣେ ଡାହାଣହାତୀ ପେସର୍ ଜୋଶ୍ ହେଜଲଉଡ୍‌ଙ୍କୁ ସେ କଦାପି ସମ୍ମୁଖୀନ ହେବାକୁ ଚାହାନ୍ତି ନାହିଁ ବୋଲି ରୋହିତ କହିଛନ୍ତି । ତେଣୁ ଭାରତର ଆଗାମୀ ଟେଷ୍ଟ୍ ସିରିଜ୍‌ରେ ହେଜଲଉଡ୍‌ଙ୍କୁ ସମ୍ମୁଖୀନ ହେବା ସକାଶେ ରୋହିତ ସମସ୍ତ ପ୍ରକାର ପ୍ରସ୍ତୁତି କରିବେ ବୋଲି କହିଛନ୍ତି । ରୋହିତଙ୍କ କହିବାନୁସାରେ, ହେଜଲଉଡ୍ ଜଣେ ଶୃଙ୍ଖଳିତ ବୋଲର୍ ଓ ତାଙ୍କ ଲାଇନ୍ ଆଉ ଲେନ୍‌ଥ ଉପରେ ଯଥେଷ୍ଟ ନିୟନ୍ତ୍ରଣ ରହିଛି । ସେ କୌଣସି ଦୁର୍ବଳ ବଲ୍ ପକାନ୍ତି ନାହିଁ । ତେଣୁ ଏହା ବ୍ୟାଟ୍ସମ୍ୟାନ୍ ଉପରେ ଅଧିକ ଚାପ ପକାଇଥାଏ ବୋଲି ରୋହିତ କହିଛନ୍ତି । ସେହିପରି ସାଉଥ୍ ଆଫ୍ରିକାର ପୂର୍ବତନ ପେସର୍ ଡେଲ୍ ଷ୍ଟେନ୍‌ଙ୍କୁ ମଧ୍ୟ ସେ ସମ୍ମୁଖୀନ ହେବାକୁ ଭୟ କରନ୍ତି । ଷ୍ଟେନ୍‌ଙ୍କ ବଲ୍‌ରେ ଗତି ରହିବା ସହ ସ୍ୱିଙ୍ଗ୍ ମଧ୍ୟ ଥାଏ । ତେଣୁ ଏକକାଳୀନ ବେଗବାନ ଓ ସ୍ୱିଙ୍ଗ୍ ବଲ୍ ଖେଳିବା କଷ୍ଟସାଧ୍ୟ ବ୍ୟାପାର ବୋଲି ରୋହିତ କହିଛନ୍ତି । ସୂଚନାଯୋଗ୍ୟ ଯେ କ୍ୟାରିୟର୍ ଆରମ୍ଭରେ ମଧ୍ୟମକ୍ରମରେ ବ୍ୟାଟିଂ କରୁଥିବା ରୋହିତ ପରବର୍ତ୍ତୀ ସମୟରେ ଓପନିଂ କରିବା ପରେ ଢେର୍ ସଫଳତା ପାଇଛନ୍ତି । ଅଦ୍ୟାବଧି ସେ ୨୯ଟି ଦିନିକିଆ ଶତକ କରିବା ସହ ଟି-୨୦ରେ ମଧ୍ୟ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୪ଟି ଶତକ ହାସଲ କରିଛନ୍ତି । ଆହୁରି ମଧ୍ୟ ଦିନିକିଆରେ ୩ଟି ଦ୍ୱିଶତକ କରି ରୋହିତ ରେକର୍ଡ ବୁକ୍‌ରେ ନିଜର ନାମ ଦରଜ କରିଛନ୍ତି ।

Comments (0)
Add Comment