ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୪ ଓଡିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଏହି ଚାରି ଖେଳାଳି ସାମିଲ ହୋଇଥିଲେ । ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳରେ ସାମିଲ ଥିବା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ରାଜ୍ୟ ସରକାର ଅଢେଇ କୋଟି ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିବା ମହିଳା ଦଳର ସଦସ୍ୟା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ଆକାରରେ ଦିଆଯିବ । ଏ ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଗତକାଲି ଏହି ଚାରି ଓଡିଆ ଖେଳାଳି ଖେଳାଳି ଓଡିଶାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ଦିଆଯାଇଥିଲା ।