ଭୁବନେଶ୍ୱର, ୨୧ ।୧୧: ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ କନିଷ୍ଠ ବିଶ୍ୱକପ୍ ଭୁବନେଶ୍ୱର ୨୦୨୧ ନଭେମ୍ବର ୨୪ରୁୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ କିଟ୍ ଓ କିସ୍ର ହକି ଷ୍ଟାଡିଅମରେ ସମସ୍ତ ଅଭ୍ୟାସ ଓ ତାଲିମ୍ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ । ଏହି ବିଶ୍ୱକପ୍ ପାଇଁ ଭାରତ ସମେତ ଚିଲି, ଆର୍ଜେଣ୍ଟିନା, ବେଲ୍ଜିଅମ୍, ମାଲେସିଆ, ନେଦରଲାଣ୍ଡ, ପୋଲାଣ୍ଡ, ଫ୍ରାନ୍ସ, ଆମେରିକା, ଦକ୍ଷିଣ ଆଫ୍ରିକା, କୋରିଆ, ଜର୍ମାନୀ, କାନାଡ଼ା, ସ୍ପେନ୍, ପାକିସ୍ତାନ ଓ ଇଜିପ୍ଟ ଆଦି ମୋଟ ୧୬ଟି ଦେଶର ଖେଳାଳି ଅଂଶଗ୍ରହଣ କରୁଛନ୍ତି । ନଭେମ୍ବର ୧୮ ତାରିଖରେ ଏହି ସମସ୍ତ ଦେଶର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଓଡ଼ିଶା ସରକାରଙ୍କ ତରଫରୁ ଏହି ଖେଳାଳିମାନଙ୍କ ଅଭ୍ୟାସ ଓ ତାଲିମ୍ ପାଇଁ କଳିଙ୍ଗ ଷ୍ଟାଡିଅମ୍ ଓ କିଟ୍ ହକି ଷ୍ଟାଡିଅମର ବ୍ୟବସ୍ଥା କରାଯାଇଛି । ଉଭୟ ଷ୍ଟାଡିଅମରେ ଖେଳାଳିମାନେ ପ୍ରତ୍ୟେହ ସକାଳ ୮ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଅଭ୍ୟାସ ନେବା ସହ ତାଲିମ ଗ୍ରହଣ କରୁଛନ୍ତି । ହକି ଷ୍ଟାଡିୟମକୁ ନିୟମିତ ସାନିଟାଇଜ କରାଯିବା ସହ 1000 ଲକ୍ସ ବିଶିଷ୍ଟ ଉଜ୍ଜ୍ଵଳ ଫ୍ଲଡ ଲାଇଟ ବ୍ୟବସ୍ଥା କରାଯାଇଛି। ୧୬ଟି ଯାକ ହକି ଦଳ ପ୍ରଥମ ଥର ପାଇଁ କିଟ୍ ହକି ଷ୍ଟାଡ଼ିଅମରେ ଅଭ୍ୟାସ କରୁଛନ୍ତି ।
ଅନ୍ତର୍ଜାତୀୟ ମାନର ବ୍ୟାପକ ବ୍ୟବସ୍ଥା ଥିବା କିଟ୍ ହକି ଷ୍ଟାଡ଼ିଅମରେ ଅଭ୍ୟାସ କରୁଥିବା ଖେଳାଳିମାନେ ଏଠାରେ ରହିଥିବା ସୁବିଧାର ଉଚ୍ଚ ପ୍ରଶଂସା କରିଛନ୍ତି । କିଟ୍ ହକି ଷ୍ଟାଡିଅମ୍ର ଅନ୍ୟତମ ବିଶେଷତ୍ୱ ହେଉଛି ଏଠାରେ ଅତ୍ୟାଧୁନିକ ସିନ୍ଥେଟିକ ହକି ଷ୍ଟାଡିୟମ ସହ ଏହାକୁ ଲାଗି ରହିବା ବ୍ୟବସ୍ଥା, ଜିମ୍ ଓ ସୁଇମିଂ ପୁଲ୍ ଆଦି ଅତ୍ୟଧୁନିକ ବ୍ୟବସ୍ଥା ଥିବାରୁ ଖେଳାଳିମାନେ ଏହାର ଉପଯୋଗ କରି ପାରିଥିଲେ । ଭାରତୀୟ ବରିଷ୍ଠ ଓ କନିଷ୍ଠ ପୁରୁଷ ହକି ଦଳର ତାଲିମ୍ କାର୍ଯ୍ୟକ୍ରମ ନଭେମ୍ବର ୮ତାରିଖଠାରୁ ଏଠାରେ ଚାଲିଥିବା ବେଳେ ସେମାନେ ଏହି ସମସ୍ତ ବ୍ୟବସ୍ଥାର ଉପଯୋଗ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି । ଓଡ଼ିଶାରେ ଏବେ ଅନେକଗୁଡ଼ିଏ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣମେଣ୍ଟ ଆୟୋଜନ ହେଉଥିବା ବେଳେ ଏଥିରେ କିଟ୍ ଓ କିସ୍ର କ୍ରୀଡ଼ା ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳିଙ୍କ ଅଭ୍ୟାସ ଓ ତାଲିମ ପାଇଁ କିଟ୍ ଓ କିସ୍ ଷ୍ଟାଡିଅମ୍କୁ ସୁଯୋଗ ଦେଇଥିବାରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।