ଏଲାଇଟ ପ୍ୟାନେଲ୍‌ ଅମ୍ପାୟାରଙ୍କୁ ପ୍ରଭାବିତ କରିବ କରୋନା

ଆଇସିସିର ଏଲାଇଟ୍‌ ପ୍ୟାନେଲ୍‌ ଅମ୍ପାୟାରମାନେ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ବେଳେ ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । କରୋନା ସଂକ୍ରମଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ ହୋଇନଥିବାରୁ ଅମ୍ପାୟାରମାନେ ପ୍ରଭାବିତ ହୋଇପାରନ୍ତି । ବିସିସିଆଇ ତା’ର ଭାରତୀୟ ଅମ୍ପାୟାରମାନଙ୍କୁ ନେଇ ଚିନ୍ତିତ । ଆଇସିସିର ଏଲାଇଟି ଅମ୍ପାୟାରମାନେ କିଭଳି ଭାବରେ ଆଇପିଏଲ୍‌କୁ ସେବା ଦେଇପାରିବେ, ସେ ନେଇ ଆଲୋଚନା ହେଉଛି । ବର୍ତ୍ତମାନ ମ୍ୟାଚ୍‌ ରେଫରୀମାନଙ୍କର ଏଲାଇଟ୍‌ ପ୍ୟାନେଲ୍‌ ଦୃଷ୍ଟିରୁ କେବଳ ଜାଭାଗଲ ଶ୍ରୀନାଥ ମହଜୁଦ୍‌ ଅଛନ୍ତି । ସେ ଆଇପିଏଲ୍‌ ପାଇଁ ସମୟ ଦେଇପାରିବେ । ସୂଚନାଯୋଗ୍ୟ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଓ ବିସିସିଆଇକୁ ସତେ ଯେପରି ମହାମାରୀ କରୋନା ଭାଇରସ୍‌ ହାତମୁଠାରେ ବାନ୍ଧି ରଖିଛି । ଆଇପିଏଲ୍‌ ଖେଳିବାକୁ ଯାଇଥିବା ଟିମ୍‌ଗୁଡିକ ମଧ୍ୟରୁ ଚେନ୍ନାଇ ସୁପରକିଙ୍ଗ୍‌ସର ୨ଜଣ ଖେଳାଳିଙ୍କ ସମେତ ୧୩ଜଣ ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହେବା ଫଳରେ ସମସ୍ତ ଖେଳାଳି, ସପୋର୍ଟ ଷ୍ଟାଫ୍‌ ଓ କର୍ମକର୍ତ୍ତାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏବେ ପୁଣି ଜଣାଯାଇଛି ଯେ ବିସିସିଆଇ ମେଡିକାଲ ଟିମ୍‌ର ଜଣେ ସଦସ୍ୟ ତଥା ସପୋର୍ଟ ଷ୍ଟାଫ୍‌ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହି ସଦସ୍ୟ ଜଣଙ୍କୁ ନିକଟରେ ଅନୁଷ୍ଠିତ ୱେବ୍‌ନାର୍‌ରେ ବାୟୋ-ବବଲ ପରିବେଶରେ କିପରି ଖେଳିବାକୁ ହେବ ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ସେ ସମସ୍ତ ଫ୍ରାଞ୍ଚାଇଜ୍‌ ଟିମ୍‌ ଓ ଖେଳାଳିଙ୍କ ସନ୍ଦେହ ଦୂର କରିଥିଲେ । ଏବେ କିଛି ଦିନ ହେବ ତାଙ୍କୁ କେହି ଖୋଜି ପାଉନାହାନ୍ତି । ବିସିସିଆଇ ଏ ସମ୍ପର୍କରେ କିଛି ସୂଚନା ଦେଉ ନଥିଲେ ମଧ୍ୟ ତାଙ୍କ ରିପୋର୍ଟ ପଜିଟିଭ୍‌ ହେବା ପରେ ସେ ସେଲ୍ଫ ଆଇସୋଲେସନରେ ରହିଥିବା ଜଣାଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ଖେଳାଳିଙ୍କ ମହଲରେ ଆହୁରି ଭୟ ସୃଷ୍ଟି ହୋଇଛି । କରୋନା ଯୋଗୁଁ ଭାରତରେ ହେଉଥିବା ଆଇପିଏଲ୍‌କୁ ଏଥର ୟୁଏଇକୁ ସ୍ଥାନାନ୍ତର କରାଯାଇଛି । ଏହା ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବ ।

Comments (0)
Add Comment