ବାର୍ସେଲୋନାରେ ପହଞ୍ଚିଲେ ମେସିଙ୍କ ପିତା

ବାର୍ସେଲୋନା : ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସିଙ୍କ ପିତା ଜର୍ଜ ମେସି ଆଜି ବାର୍ସେଲୋନାରେ ପହଞ୍ଚିଛନ୍ତି । ପୁଅର ଭବିଷ୍ୟତ ନେଇ ସେ ବାର୍ସେଲୋନା କ୍ଲବ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଜର୍ଜ ମଧ୍ୟ ଲିଓନେଲ୍‌ଙ୍କର ଏଜେଣ୍ଟ । ଆର୍ଜେଣ୍ଟିନାରୁ ଆସି ବାର୍ସେଲୋନାରେ ପହଞ୍ଚିବା ପରେ ଜର୍ଜ ଫୋନ୍‌ ଯୋଗେ କ୍ଲବର କେତେକ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ ସ୍ଥାପନ କରିଥିଲେ । କ୍ଲବର ସଭାପତି ଜୋସେଫ ବର୍ତ୍ତୁମିଙ୍କୁ ସେ ଭେଟିବେ । ତେବେ ଆଲୋଚନା କେତେବେଳେ ହେବ ତାହା ସ୍ପଷ୍ଟ ହୋଇନାହିଁ । ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଜର୍ଜ କହିଛନ୍ତି ଯେ, ପୁଅର କ୍ୟାରିୟରରେ ଭବିଷ୍ୟତ ନେଇ ବିସ୍ତୃତ କଥାବାର୍ତ୍ତା କରିବାର ଅଛି । ପରବର୍ତ୍ତୀ କ୍ୟାରିୟର କିଭଳି ଭାବରେ ହେବ ଏବଂ ଆହୁରି କେତେ ବର୍ଷ ଲିଓନେଲ୍‌ ଖେଳିବେ ଏହିଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ହେବ । ଏ ସଂପର୍କରେ ଏବେଠୁ ବିସ୍ତୃତ ସୂଚନା ଦେଇହେବ ନାହିଁ । କର୍ମକର୍ତ୍ତାମାନଙ୍କର ମନୋଭାବ କ’ଣ ତାହା ଜାଣିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Comments (0)
Add Comment