ମୁମ୍ବାଇ : ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ହକି ଇଣ୍ଡିଆର ହାଇ ପରଫରମାନ୍ସ ନିର୍ଦ୍ଦେଶକ ପଦରୁ ଡାଭିଡ୍ ଜନ୍ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ବିଷୟ କହିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଉଭୟ ହକି ଇଣ୍ଡିଆ ଓ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ନିକଟକୁ ପଠାଇ ଦେଇଛନ୍ତି । ତାଙ୍କର କାର୍ଯ୍ୟକାଳକୁ ସାଇ ୨୦୨୧ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇବାକୁ ଯାଉଥିବା ବେଳେ ଜନ୍ ହଠାତ୍ ଏଭଳି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକ୍କିତ କରିଛନ୍ତି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କଥା ଜନ୍ କହିଥିଲେ ମଧ୍ୟ ଏକ ଗଣମାଧ୍ୟମ ସୂତ୍ରରେ କୁହାଯାଇଛି ଯେ, ହକି ଇଣ୍ଡିଆରେ ବର୍ତ୍ତମାନର ପ୍ରଶାସନିକ ବ୍ୟବସ୍ଥା ନେଇ ଜନ୍ ଅସନ୍ତୁଷ୍ଟ ଥିଲେ । ତାଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ସେ ଅନୁଭବ କରୁଥିଲେ । ସମ୍ଭବତଃ ଅତିଷ୍ଠ ହୋଇ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ବିଷୟ ଏହି ସୂତ୍ରରେ କୁହାଯାଇଛି ।