ଚାଇନା ଓ ଜାପାନ ଓପନ୍‌ ବାତିଲ

ଟୋକିଓ : ଅନ୍ୟାନ୍ୟ କ୍ରୀଡ଼ା ଭଳି ବିଶ୍ୱ ବ୍ୟାଡମିଣ୍ଟନ କ୍ରୀଡ଼ା ମଧ୍ୟ କରୋନା ଯୋଗୁଁ ଗଭୀର ଭାବରେ ପ୍ରଭାବିତ ହୋଇଛି । ଆଗକୁ ଖେଳାଯିବାକୁ ଥିବା ଚାଇନା ଓ ଜାପାନ ବ୍ୟାଡମିଣ୍ଟନ ଓପନ ଟୁର୍ଣ୍ଣାମେଣ୍ଟକୁ ବାତିଲ୍‌ କରିଦିଆଯାଇଛି । କରୋନା ସଂକ୍ରମଣ କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଡମିଣ୍ଟନ ବିଶ୍ୱ ଫେଡେରେସନ (ବିଡବ୍ଲୁଏଫ୍‌) ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । ଫେଡେରେସନ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ମାସରେ ଚାରୋଟି ଟୁର୍ଣ୍ଣାମେଣ୍ଟ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା; କିନ୍ତୁ କରୋନା ସଂକ୍ରମଣ ଭୟଙ୍କର ଭାବରେ ଗତି କରୁଥିବାରୁ ଖେଳାଳି ଓ ଟୁର୍ଣ୍ଣାମେଣ୍ଟ ସହିତ ସଂପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏହି ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ବାତିଲ୍‌ କରିଦିଆଯାଇଛି । ତାଇପେଇ ଓପନ୍‌ ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା । କୋରିଆ ଓପନ୍‌ ସେପ୍ଟେମ୍ବର ୮ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେଲା । ସେହିପରି, ଚାଇନା ଓପନ୍‌ ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇ ୨୦ରେ ସରିଥାନ୍ତା ଏବଂ ଜାପାନ୍‌ ଓପନ୍‌ ସେପ୍ଟେମ୍ବର ୨୨ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା । କିନ୍ତୁ କରୋନା ସଂକ୍ରମଣର ଭୟାବହତା ଦୃଷ୍ଟିରୁ ଏହି ଟୁର୍ଣ୍ଣାମେଣ୍ଟଗୁଡ଼ିକୁ ବାତିଲ୍‌ କରିବା ଲାଗି ଆମେ ବାଧ୍ୟ ହୋଇଛୁ ବୋଲି ଫେଡେରେସନ ପକ୍ଷରୁ କୁହାଯାଇଛି । ଫେଡେରେସନର ମହାସଚିବ ଥୋମାସ୍‌ ଲଣ୍ଡ୍‌ ବୁଧବାର ଏକ ବିବୃତିରେ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟ ବାତିଲ୍‌ ଘୋଷଣା କରି ଆମେ ଅତ୍ୟନ୍ତ ଦୁଃଖିତ; କିନ୍ତୁ ଏହାଛଡ଼ା ଅନ୍ୟ ଉପାୟ ମଧ୍ୟ କିଛି ନାହିଁ । ଟୁର୍ଣ୍ଣାମେଣ୍ଟଗୁଡ଼ିକୋର ସଂପୃକ୍ତ ସବୁ ବ୍ୟକ୍ତିମାନଙ୍କ କଲ୍ୟାଣ ପାଇଁ ଏଭଳି ନିଷ୍ପତ୍ତି ଉଚିତ୍‌ ବୋଲି ଆମେ ଅନୁଭବ କରୁଛୁ । ଆମର ଅସହାୟତାକୁ ସମସ୍ତେ ହୃଦ୍‌ବୋଧ କରି ସହଯୋଗ କରିବେ ବୋଲି ଆମେ ଆଶା କରୁଛୁ ।

Comments (0)
Add Comment