ଭାରତର ବ୍ୟାଟିଂ ଆରମ୍ଭ, ଦଳକୁ ଫେରିଲେ ଏହି ଦୁଇ ଷ୍ଟାର ବୋଲର

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ଆଜି ଠାରୁ ଆରମ୍ଭ ହୋଇଛି। ଉକ୍ତ ଟେଷ୍ଟରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଟସ୍ ହାରିଥିବା ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ତୃତୀୟ ଟେଷ୍ଟ ହାରିବା ପରେ ଭାରତୀୟ ଦଳ ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ। ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ଲିଡ୍ସ ଟେଷ୍ଟରେ ନିରାଶ କରିଥିବା ପେସ୍ ବୋଲର ଈଶାନ୍ତ ଶର୍ମା ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି। ସେହିପରି ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ୍ କରାଯାଇଛି। ଭାରତୀୟ ଦଳର ବ୍ୟାଟିଂ କ୍ରମରେ ସାମାନ୍ୟ ପରିବର୍ତ୍ତନ କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ କୋହଲି ପୁଣିଥରେ ବ୍ୟାଟିଂକ୍ରମ ଉପରେ ଭରସା ଦେଖାଇଛନ୍ତି। ଅନ୍ୟପକ୍ଷରେ ଇଂଲଣ୍ଡ ସ୍କ୍ୱାଡରେ ମଧ୍ୟ ଦୁଇଟି ପରିବର୍ତ୍ତନ କରାଯାଇଛି। ଜୋସ୍ ବଟଲର୍ ଓ ସାମ୍ କୁରାନ୍ ବାଦ୍ ପଡ଼ିଥିବା ବେଳେ ଦୁହିଁଙ୍କ ସ୍ଥାନରେ ଓଲି ପୋପ୍ ଓ କ୍ରିସ୍ ଓକ୍ସଙ୍କୁ ସାମିଲ୍ କରାଯାଇଛି। ବଟଲରଙ୍କ ଅନୁପସ୍ଥିତିରେ ଜନ୍ନି ବେୟାରଷ୍ଟୋ ୱିକେଟ୍ କିପିଂ ଦାୟିତ୍ୱ ତୁଲାଇବେ। ସୂଚନାଯୋଗ୍ୟ, ଲିଡ୍ସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତ ଇନିଂସ୍ ଓ ୭୬ ରନରେ ପରାସ୍ତ ହୋଇଥିଲା। ଉକ୍ତ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନ୍ କରି ଅଲଆଉଟ୍ ହୋଇଥିଲା, ଯାହା ଟିମ୍ ପରାଜୟର ମୁଖ୍ୟ କାରଣ ଥିଲା।

Comments (0)
Add Comment