ନୂଆଦିଲ୍ଲୀ : ଓଡିଶା ପାଇଁ ଖୁସି ଖବର । ରାଜ୍ୟ ତଥା ଭାରତର ତାରକା ଧାବିକା ଦୂତୀ ଚାନ୍ଦଙ୍କୁ ମିଳିଛି ଟୋକିଓ ଅଲିମ୍ପିକ୍ସ ଟିକେଟ । ଅଲିମ୍ପିକ୍ସରେ ସେ ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ । ବିଶ୍ୱ ମାନ୍ୟତା ଅଙ୍କ ବା ପଏଣ୍ଟ ଆଧାରରେ ତାଙ୍କୁ ଏହି ଯୋଗ୍ୟତା ମିଳିଛି । ବିଶ୍ୱ ମାନ୍ୟତା ତାଲିକାରେ ୧୦୦ ମିଟର ବିଭାଗରେ ତାଙ୍କୁ ୨୨ଟି ଉନ୍ନତି ସ୍ଥାନ ମିଳିଥିବା ବେଳେ ୨୦୦ ମିଟରରେ ୧୫ଟି ସ୍ଥାନ ଉପଲବ୍ଧ ହୋଇଛି । ଏହା ବଳରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି ।
ଦୂତୀ ଗତ ସପ୍ତାହରେ ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଜିପି ଟୁର୍ଣ୍ଣାମେଣ୍ଟରେ ୧୦୦ ମିଟର ଇଭେଣ୍ଟରେ ୧୧.୭ ସେକେଣ୍ଡରେ ଲକ୍ଷ୍ୟ ପୂରଣ ସହ ନ୍ୟାସନାଲ ରେକର୍ଡ ସ୍ଥାପନ କରିଥିଲେ । ତେବେ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଯେଉଁ ପଏଣ୍ଟ ଧାର୍ଯ୍ୟ କରାଯାଇଥିଲା ତାହାଠାରୁ ଏହା ୦.୦୨ ସେକେଣ୍ଡ କମ୍ ଥିବାରୁ ସେ ଯୋଗ୍ୟତା ଅର୍ଜନ କରିପାରିନଥିଲେ ।
ବିଶ୍ୱ ମାନ୍ୟତା ତାଲିକାରେ ୧୦୦ ମିଟରରେ ଦୂତୀ ୪୪ ତମ ସ୍ଥାନରେ ଥିବାବେଳେ ୨୦୦ ମିଟରରେ ୫୧ ତମ ସ୍ଥାନରେ ରହିଛନ୍ତି ।