ଢାକା : ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ସଭାପତି ନାଜମୁଲ ହାସନ ସୋମବାର କହିଛନ୍ତି ଯେ ବାଂଲାଦେଶର ତାରକା ଖେଳାଳି ଶାକିବ ଅଲ ହାସନ ଏବଂ ମୁସ୍ତାଫିଜୁର ରହମାନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ (ଆଇପିଏଲ୍ ୨୦୨୧) ର ଅବଶିଷ୍ଟ ମ୍ୟାଚ୍ରେ ଖେଳିବାକୁ ଏନ୍ଓସି ଦିଆଯାଇପାରିବ ନାହିଁ । ଅଲରାଉଣ୍ଡର ଶାକିବ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ବାମହାତୀ ଦ୍ରୁତ ବୋଲର ମୁସ୍ତାଫିଜୁର ରାଜସ୍ଥାନ ରୟାଲ୍ସ (ଆରଆର) ପାଇଁ ଖେଳନ୍ତି ।
ବାୟୋ-ବବୁଲ ଭିତରେ ଅନେକ କରୋନା ମାମଲା ରିପୋର୍ଟ ଆସିବା ପରେ ଆଇପିଏଲ୍ ୨୦୨୧କୁ ମେ ୪ରୁ ସ୍ଥଗିତ ରଖାଯାଇଥିଲା । ଏହି ଟୁର୍ନାମେଣ୍ଟ ସେପ୍ଟେମ୍ବର ତୃତୀୟ ସପ୍ତାହରେ ପୁନଃ ଆରମ୍ଭ ହେବ ଏବଂ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ଶେଷ ହେବ । ଆନ୍ତର୍ଜାତୀୟ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ଏନ୍ଓସି ପ୍ରଦାନ କରିବା ପ୍ରାୟ ଅସମ୍ଭବ ବୋଲି ନାଜମୁଲ କହିଛନ୍ତି । ସେ କହିଛନ୍ତି ଏହି ଦୁଇ ଖେଳାଳିଙ୍କୁ ଏନ୍ଓସି ଦେବାର କୌଣସି ସୁଯୋଗ ମୁଁ ଦେଖୁନାହିଁ । ଟି -୨୦ ବିଶ୍ୱକପ୍ ମଧ୍ୟ ଆସୁଛି ଏବଂ ବର୍ତ୍ତମାନ ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ।