ଆଇପିଏଲ୍ ପ୍ରସଙ୍ଗ: ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ବିସିସିଆଇ

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ୍ ସଂଯୁକ୍ତ ଆରବ ଏମିରେଟ୍ସ ବା ୟୁଏଇରେ ହିଁ ହେବ । ଏଥିପାଇଁ ବିସିସିଆଇ ପ୍ରସ୍ତୁତ । ଏ ନେଇ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇ ସାରିଛି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବା ସବୁଜ ସଂକେତଙ୍କୁ ହିଁ ଅପେକ୍ଷା । ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ମୁଖ୍ୟ ବ୍ରଜେଶ ପଟେଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ସଂକ୍ରମଣ ପରିସ୍ଥିତି ଯୋଗୁଁ ଭାରତରେ ଆଇପିଏଲ୍ ଆୟୋଜନ କରିବା ସମ୍ଭବପର ନୁହେଁ । ଭାରତ ବଦଳରେ ଏମିରେଟ୍ସରେ ଏହାକୁ ଆୟୋଜନ କରାଯାଇପାରିବ । ତେଣୁ ଏଥିଲାଗି ଅନୁମତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ।
ୟୁଏଇରେ ଆଇପିଏଲ ହେବା ନେଇ ଯେଉଁ ଆଲୋଚନା ହୋଇଛି, ସେଥିରେ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ ହେଲେ ପୁର୍ଣ୍ଣାଙ୍ଗ ଆଇପିଏଲ ସମ୍ଭବ ହୋଇପାରିବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬୦ଟି ମ୍ୟାଚ୍ ଖେଳାଯିବ ଓ କେତେଦିନ ମଧ୍ୟରେ ଏହା ଅନୁଷ୍ଠିତ ହେବ ତାହା ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ସ୍ଥିର କରାଯିବ । କିନ୍ତୁ ଦେଶରେ ହେଉ କିମ୍ବା ବିଦେଶରେ ଆଇପିଏଲ୍ ଆୟୋଜନର ମୁଖ୍ୟ ପ୍ରତିବନ୍ଧକ ହେଉଛି, କରୋନା ଭାଇରସ୍କୁ ନେଇ ସୃଷ୍ଟି ହୋଇଥିବା ବର୍ତ୍ତମାନର ପରିସ୍ଥିତି । ବାୟୋ ସୁରକ୍ଷା ପରିବେଶ ଏକ ମସ୍ତବଡ ଚ୍ୟାଲେଞ୍ଜ । ଯଦିଓ ଆଇସିସି ଟି-୨୦ ବିଶ୍ୱକପ୍ ସ୍ଥଗିତ ରଖିବା କଥା ଘୋଷଣା କରିବା ପୂର୍ବରୁ ଟିମ୍ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି, ତଥାପି ସବୁକିଛି ନିୟନ୍ତ୍ରଣରେ ନାହିଁ । ଏବେ ସୁଦ୍ଧା ଭାରତୀୟ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ନାହାନ୍ତି । ଏମାନଙ୍କୁ ମ୍ୟାଚ୍ ଫିଟ୍ ହେବା ଲାଗି ଅତିକମ୍ରେ ୪ରୁ ୫ ସପ୍ତାହ ସମୟ ଲାଗିବ । ବିଦେଶୀ ଖେଳାଳିମାନେ ସିଧାସଳଖ ନିଜ ଦେଶରୁ ୟୁଏଇରେ ପହଞ୍ôଚବେ । ସେଠାରେ ସମସ୍ତେ କ୍ୱାରେଣ୍ଟାଇନ୍ରେ ରହିବେ । ଏଣୁ ବିସିସିଆଇ ଥରେ ଟୁର୍ଣ୍ଣାମେଣ୍ଟ ତାରିଖ ଘୋଷଣା କରିବା ପରେ ଆମେ ଏଥିଲାଗି ପ୍ରସ୍ତୁତ ହୋଇଯିବୁ ବୋଲି ଟିମ୍ ମାଲିକମାନେ ପ୍ରକାଶ କରିଛନ୍ତି । ଆଇପିଏଲ ପରେ ଟିମ୍ ଇଣ୍ଡିଆ ଟେଷ୍ଟ ଟୁର୍ରେ ଅଷ୍ଟ୍ରେଲିଆ ଯିବ । ଏହି ଟୁର୍ ଲାଗି ମଧ୍ୟ ପ୍ରସ୍ତୁତି କରିବାକୁ ପଡ଼ିବ । ଆଇପିଏଲ୍ରେ ସ୍ଥାନ ପାଇ ନଥିବା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ପ୍ରସ୍ତୁତି ଲାଗି ପର୍ଯ୍ୟାପ୍ତ ସମୟ ପାଇବେ । ଏମାନେ ଅହମ୍ମଦାବାଦ୍ର ମୋଟେରା ଷ୍ଟାଡିୟମ୍ରେ ଭାରତୀୟ ସପୋର୍ଟ ଷ୍ଟାଫ୍ଙ୍କ ସହ ଅଭ୍ୟାସ କରିବେ । ଆଇପିଏଲରେ ଆଉ ଏକ ସମସ୍ୟା ହେଉଛି କମେଣ୍ଟ୍ରିକୁ ନେଇ । କରୋନା ଆତଙ୍କ ପରେ ଘରେ ରହି କାମ କରିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି ।
ଏହା ସହ ୭୧ ବର୍ଷୀୟ ସୁନୀଲ ଗାଭାସ୍କରଙ୍କ ପରି ବୟସ୍କ ବ୍ୟକ୍ତିମାନେ ମଧ୍ୟ ଜଡ଼ିତ ଅଛନ୍ତି । ଏମାନେ ୟୁଏଇ ଯିବେ କିମ୍ବା ଘରେ ରହି କମେଣ୍ଟ୍ରି କରିବେ, ତାହା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ ।

Comments (0)
Add Comment