ଘରୋଇ ଶୁଟିଂ ଇଭେଣ୍ଟ ବାତିଲ୍ ନହେବା ନେଇ ସଂଘ ଆଶାବାଦୀ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ସ୍ଥଗିତ ଓ ବାତିଲ୍ ହୋଇଛି । ଚଳିତ ବର୍ଷ ହେବାକୁ ଥିବା କେତେକ କ୍ରୀଡ଼ା କାର୍ଯ୍ୟକ୍ରମ ସ୍ଥଗିତ ରହିଥିଲେ ବି ଯଥାଶୀଘ୍ର ଆରମ୍ଭ ହେବା ନେଇ କ୍ରୀଡ଼ା ସଂଗଠନମାନେ ଆଶାବାଦୀ ଅଛନ୍ତି । ଏହି କ୍ରମରେ ଶୁଟିଂ ସଂଗଠନ ଚଳିତ ବର୍ଷ ଏହି ଇଭେଣ୍ଟ ଅନୁଷ୍ଠିତ ହେବା ନେଇ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି । ସରକାର ସ୍ପୋର୍ଟସ୍ କମ୍ପେ୍ଲକ୍ସ ଓ ଷ୍ଟାଡ଼ିୟମ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଖେଳାଳିମାନେ ଷ୍ଟାଡ଼ିୟମ ଭିତରେ ଅଭ୍ୟାସ କରିବାରେ କୌଣସି ଅସୁବିଧା ନାହିଁ; କିନ୍ତୁ ଦର୍ଶକମାନଙ୍କୁ ବାରଣ କରାଯାଇଛି । ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଦର୍ଶକଙ୍କୁ ନେଇ ଷ୍ଟାଡ଼ିୟମରେ ଟୁର୍ଣ୍ଣାମେଣ୍ଟ କରାଯିବା ସମ୍ଭବ ନୁହେଁ ବୋଲି ସରକାର କହିଛନ୍ତି । ବର୍ତ୍ତମାନ ପାଇଁ ଭାରତରେ ଚଳିତ ବର୍ଷ କୌଣସି ପ୍ରକାର ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମର ସମ୍ଭାବନା ବହୁତ କମ୍ । ତେବେ କେତେକ ସଂଗଠନ କହିଛନ୍ତି ଯେ, ଭାରତରେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାରେ କୌଣସି ଅସୁବିଧା ହେବ ନାହିଁ । ଡୋମେଷ୍ଟିକ୍ ଶୁଟିଂ କାର୍ଯ୍ୟକ୍ରମ ସାଧାରଣତଃ ଜୁଲାଇରୁ ଆରମ୍ଭ ହୋଇଥାଏ । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଜୁଲାଇରେ ଶୁଟିଂ ପ୍ରତିଯୋଗିତା ଆରମ୍ଭ କରିବା ନିରାପଦ ହେବ ନାହିଁ । ତେଣୁ ଆଥଲେଟ୍‌ମାନଙ୍କୁ ଆଉ କିଛିଦିନ ଅପେକ୍ଷା କରିବାକୁ ପଡ଼ିପାରେ । ୨୦୨୦ କ୍ୟାଲେଣ୍ଡରର ଭାଗ୍ୟ କ’ଣ ହେବ ସେ ନେଇ ମଧ୍ୟ ଆଥଲେଟ୍‌ମାନେ ନିଶ୍ଚିତ ନୁହଁନ୍ତି । ଜାତୀୟ ସଂଗଠନ ଏବଂ ରାଜ୍ୟସ୍ତରୀୟ ସଂଘ କିନ୍ତୁ ଆଶା ଛାଡ଼ି ନାହାନ୍ତି । ସେମାନଙ୍କ ଦୃଢ଼ ଆଶା ଯେ, ଚଳିତ ବର୍ଷର ଶେଷ ଭାଗ ଆଡ଼କୁ ଶୁଟିଂ ଇଭେଣ୍ଟ ଆୟୋଜିତ ହୋଇପାରେ ।

Comments (0)
Add Comment