ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହାତୀକୁ ମାରିବା ଘଟଣା: କ୍ରୀଡ଼ା ଜଗତରେ ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ : କେରଳରେ ଏକ ହାତୀକୁ ବିସ୍ଫୋରକ ଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣା ଦେଶରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି କରିଛି । ଏପରିକି କ୍ରୀଡ଼ା ଜଗତ ମଧ୍ୟ ଏହାକୁ ଅତି କଡ଼ା ଭାଷାରେ ନିନ୍ଦା କରିଛି । ବିଭିନ୍ନ କ୍ରୀଡ଼ାର ବହୁ ବିଶିଷ୍ଟ ଖେଳାଳି ଓ କ୍ରୀଡ଼ାବିତ୍ ଏଭଳି କାର୍ଯ୍ୟ କରିଥିବା ଲୋକମାନଙ୍କୁ ଅତି କଠୋର ଶାସ୍ତି ଦେବା ଲାଗି ଦାବି କରିଛନ୍ତି । ରୋହିତ ଶର୍ମାଙ୍କଠାରୁ ଆରମ୍ଭ କରି ବିରାଟ କୋହଲି, ସୁନୀଲ୍ ଛେତ୍ରୀ, ଅନୁଷ୍କା ଶର୍ମା, ସଚିନ୍ ତେନ୍ଦୁଲକର, ସୁନୀଲ୍ ମନୋହର ଗାଭାସ୍କର, ଅନୀଲ୍ କୁମ୍ବଲେ, ରାହୁଲ୍ ଦ୍ରାବିଡ଼ଙ୍କ ଭଳି ବହୁ କ୍ରୀଡ଼ା ବ୍ୟକ୍ତିତ୍ୱ ଏ ଘଟଣାରେ ଅତ୍ୟନ୍ତ ମର୍ମାହତ ହେବା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କଠୋର ଶାସ୍ତି ଦେବାକୁ ଦାବି କରିଛନ୍ତି ।
ମଣିଷ ସବୁଠାରୁ ବୁଦ୍ଧିମାନ ପ୍ରାଣୀ ହୋଇଥିଲେ ମଧ୍ୟ କଥା କହିପାରୁ ନ ଥିବା ଜୀବଙ୍କ ପ୍ରତି ଅମାନବୀୟ ଆଚରଣ କୌଣସି ଦୃଷ୍ଟିକୋଣରୁ ଗ୍ରହଣୀୟ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଥିରେ ଦେଶର କ୍ରୀଡ଼ାବିତ୍‌ମାନେ ମଧ୍ୟ ସାମିଲ୍ ହୋଇଛନ୍ତି । ବୁଧବାର ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଓ ଭାରତୀୟ ଫୁଟବଲ୍ ଦଳର ଅଧିନାୟକ ସୁନୀଲ ଛେତ୍ରୀ ଘୋର ଦୁଃଖ ପ୍ରକାଶ କରିବା ସହ ଏପରି କୁକର୍ମରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଉଭୟ ଖେଳାଳି ଟ୍ୱିଟ୍ କରିବା ସହ ସମସ୍ତଙ୍କୁ ପଶୁମାନଙ୍କୁ ଭଲ ପାଇବା ଦେବା ସହ ସେମାନଙ୍କ ଯତ୍ନ ନେବାକୁ ନିବେଦନ କରିଛନ୍ତି । କୋହଲି ଗର୍ଭବତୀ ହାତୀର ଏକ କାର୍ଟୁନ୍ ଅପଲୋଡ୍ କରିବା ସହ କେରଳ ଘଟଣାରେ ସେ ମର୍ମାହତ । ତେଣୁ ସମସ୍ତେ ପଶୁମାନଙ୍କୁ ଭଲ ପାଇବା ସହ ସେମାନଙ୍କ ପ୍ରତି ଏପରି କାପୁରୁଷ ଆଚରଣରେ ପୂର୍ଣ୍ଣଚ୍ଛେଦ ପକାଇବାକୁ କୋହଲି ଆହ୍ୱାନ ଦେଇଛନ୍ତି ।

Comments (0)
Add Comment