ମ୍ୟାକ୍‌କୁଲମଙ୍କୁ କୃତଜ୍ଞତା ଜଣାଇଲେ କାର୍ତ୍ତିକ

ଦୁବାଇ : କିଙ୍ଗିସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ କୋଲକାତା ନାଇଟ୍ ରାଇଡ଼ର୍ସର ଦୀନେଶ କାର୍ତ୍ତିକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ତାହା ପୁର୍ନଜୀବନ ପାଇଲା ଭଳି । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ମ୍ୟାଚର ଫଳାଫଳ ନେଇ ନିଜେ ଚକ୍କିତ ହୋଇଥିବା ସ୍ୱୀକାର କରିଥିଲେ । ସେ କହିଥିଲେ ଯେ, ଗୋଟେ ସମୟରେ ଆମେ ଜିତିବା ଆଶା ଛାଡ଼ି ଦେଇଥିଲୁ । କାରଣ କେଏଲ୍ ରାହୁଲ୍ ଓ ମୟଙ୍କ ଅଗ୍ରୱାଲ୍ ଏଭଳି ଭାବରେ ବ୍ୟାଟିଂ କରୁଥିଲେ, ଯାହା ଆମର ଚିନ୍ତା ବଢ଼ାଇ ଦେଇଥିଲା । ବିନା କୌଣସି ୱିକେଟରେ ଦଳ ୧୧୫ ପର୍ଯ୍ୟନ୍ତ ଚାଲିଯାଇଥିଲା । ତେବେ ଶେଷ ପାଞ୍ଚ ଓଭରରେ ଖେଳର ମୋଡ଼ ବଦଳିଥିଲା । ଜିତିବା ପାଇଁ ପଞ୍ଜାବକୁ ଆଉ ଦୁଇ ରନ୍ ଆବଶ୍ୟକ ଥିବା ବେଳେ ତାହାକୁ ପୂରଣ କରିବାରେ ଏହା ଅସମର୍ଥ ହୋଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଆମେ ବିଜୟଲାଭ କରିଥିଲୁ । ଏଭଳି ପରିସ୍ଥିତିରେ ମ୍ୟାକ୍‌କୁଲମ୍ କିନ୍ତୁ ମୋତେ ନୀରବଚ୍ଛିନ୍ନ ଭାବେ ଉତ୍ସାହ ଦେଇଚାଲିଥିଲେ । ଯେତେ ସମ୍ଭବ ଜୋରଦାର ବ୍ୟାଟିଂ ପାଇଁ ସେ ମୋର ମନୋବଳକୁ ବଢ଼ାଇଥିଲେ । କିନ୍ତୁ ମୋର ଲକ୍ଷ୍ୟ ଥିଲା ଦଳର ଆବଶ୍ୟକତା ଉପରେ । ଦଳ କ\’ଣ ଚାହୁଁଛି ଏବଂ ସେହି ପରିସ୍ଥିତିରେ କ\’ଣ କରିବାକୁ େହେବ ତାହା ଉପରେ ମୋର ନଜର ଥିଲା । ତେବେ ମ୍ୟାକକୁଲମ ମୋତେ ଯେଉଁ ମନୋବଳ, ସାହାସ ଓ ଉତ୍ସାହ ଦେଇଥିଲେ ସେଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞ ବୋଲି କାର୍ତ୍ତିକ କହିଛନ୍ତି । ରସେଲଙ୍କୁ ପ୍ରଶଂସା କରି କାର୍ତ୍ତିକ କହିଥିଲେ ଯେ, ସେ ଜଣେ ସ୍ୱତନ୍ତ୍ର ଖେଳାଳି । ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ମଧ୍ୟ । ତାଭ୍‌କ ଉପରେ ଅଧିକ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଆଗକୁ ମଧ୍ୟ ଆମ ସଦସ୍ୟମାନେ ଏହଭଳି ଲଢ଼ୁଆ ମନୋଭାବ ନେଇ ଖେଳିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

Comments (0)
Add Comment