ବ୍ରାଭୋଙ୍କ ପୂର୍ବରୁ କାହିଁକି ଯାଦବଙ୍କୁ ପଠାଗଲା, କହିଲେ ଫ୍ଲେମିଙ୍ଗ୍‌

ଆବୁଧାବି : ବୁଧବାର ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗିସ୍‌ର ଡେନ୍ ବ୍ରାଭୋ ଓ ରବୀନ୍ଦ୍ର ଜାଡ଼େଜାଙ୍କ ପୂର୍ବରୁ କେଦାର ଯାଦବଙ୍କୁ ପଠାଯାଇଥିଲା । ତେବେ ମ୍ୟାନେଜମେଣ୍ଟ କାହିଁକି ଏଭଳି ନିଷ୍ପତ୍ତି ନେଲା ସେଥିନେଇ ମ୍ୟାଚ୍ ପରେ ପ୍ରଶ୍ନ ଉଠିଥିଲା । ଚେନ୍ନାଇ କୋଚ୍ ଷ୍ଟିଫେନ୍ ଫ୍ଲେମିଂ ତା’ର ଜବାବ ଦେଇ କହିଛନ୍ତି ଯେ, ଖେଳାଳିଙ୍କ ଦକ୍ଷତାକୁ ବିଚାର କରି ବ୍ୟାଟିଂ ପାଇଁ ପଠାଯାଇଥାଏ । କାହା ପରେ କିଏ ଗଲେ ଖେଳ ସନ୍ତୁଳିତ ହେବ ଏବଂ ଦଳ ଫାଇଦା ହେବ ତାହା ରଣନୀତିର ଏକ ଅଂଶ । ମ୍ୟାନେଜମେଣ୍ଟ ଏହି କାମ କରିଥାଏ । ଯାଦବଙ୍କ ଦକ୍ଷତାକୁ ବିଚାର କରି ତାଙ୍କୁ ବ୍ରାଭୋଙ୍କ ପୂର୍ବରୁ ପଠାଯାଇଥିଲା । ଧୋନିଙ୍କ ୱିକେଟ୍ ପତନ ପରେ ଯାଦବ ବ୍ୟାଟିଂ କରିବାକୁ ଯାଇଥିଲେ । କିନ୍ତୁ ମାତ୍ର ୧୨ ବଲରୁ ସେ ୭ ରନ୍ କରିଥିଲେ । ବଲ୍ ସହିତ ସେ ଠିକ୍ ଭାବରେ ଖାପ ଖୁଆଇ ଖେଳିବା ଲାଗି ଅବଶ୍ୟ ସଂଘର୍ଷ କରିଥିଲେ ବୋଲି ଫ୍ଲେମିଂ କହିଛନ୍ତି । ମ୍ୟାନେଜମେଣ୍ଟ ଯାହା ଉଚିତ୍ ବୋଲି ଅନୁଭବ କରିଥିଲା ତାହା ହିଁ ନିଷ୍ପତ୍ତି କରିଥିଲା । ରବୀନ୍ଦ୍ର ଜାଡ଼େଜା ଆଠୋଟି ବଲରୁ ତିନୋଟି ଚୌକା ଓ ଗୋଟିଏ ଛକା ସହ ୨୧ ରନ୍ କରିଥିଲେ । କିନ୍ତୁ ତାହା ଦଳ ପାଇଁ ବିଶେଷ ସହାୟକ ନଥିଲା । ଯାଦବଙ୍କର ପ୍ରଦର୍ଶନକୁ ନେଇ ସୋଶିଆଲ୍ ମିଡ଼ିଆରେ ତାଙ୍କୁ ଭୀଷଣ ଭାବରେ ସମାଲୋଚନା କରାଯାଇଛି । ଦଳର ପରାଜୟର ଅନ୍ୟତମ କାରଣ ଯାଦବଙ୍କ ଦୁର୍ବଳ ପ୍ରଦର୍ଶନ ବୋଲି ଟିପ୍ପଣୀ ଦିଆଯାଇଛି । ଫ୍ଲେମିଂ କହିଛନ୍ତି ଯେ, ଯାଦବ ହିଁ ସ୍ପିନଂରେ ପ୍ରତିପକ୍ଷ ଦଳକୁ ଚାପରେ ପକାଇପାରିବେ । ସେ ପ୍ରାଧାନ୍ୟ ବିସ୍ତାର କରିପାରିବେ ବୋଲି ଆମର ଦୃଢ଼ ବିଶ୍ୱାସ ଥିଲା । ଜାଡେଜାଙ୍କୁ ଆମେ ଫିନିସର ଭାବେ ବିବେଚନା କରୁଥିଲୁ । ସବୁ ଦିଗକୁ ବିଚାର କରାଯାଇ ବ୍ରାଭୋଙ୍କ ସ୍ଥାନରେ ଯାଦବଙ୍କୁ ପଠାଇବା ଲାଗି ମ୍ୟାନେଜେଣ୍ଟ ନିଷ୍ପତ୍ତି ନେଇଥିଲା ବୋଲି ଫ୍ଲେମିଂ କହିଛନ୍ତି ।

Comments (0)
Add Comment