କ୍ରୀଡ଼ାରେ କରୋନା ବିସ୍ଫୋରଣ : ଏସିଆନ କପରୁ ବାଦ୍‌ପଡ଼ିଲା ଭାରତ

ମୁମ୍ବାଇ : ଅନ୍ୟ କ୍ଷେତ୍ର ଭଳି କ୍ରୀଡ଼ାରେ ମଧ୍ୟ କରୋନା ମାଡ଼ିଚାଲିଛି । ଏହି କାରଣରୁ କେତେକ ମ୍ୟାଚ ସ୍ଥଗିତ ରହିଛି । ବହୁ ଖେଳାଳି ସଂକ୍ରମିତ ହୋଇଛନ୍ତି । ଏବେ ଫୁଟବଲ କ୍ରୀଡ଼ାରେ ହୋଇଛି କରୋନା ବିସ୍ଫୋରଣ । ବର୍ତ୍ତମାନ ଏଠାରେ ଏସିଆନ କପ ଚାଲିଛି । ଏଥିରେ ଭାରତ ଭାଗ ନେଇଛି । ତେବେ ଗତକାଲି ଭାରତ ତାର ପ୍ରଥମ ଗ୍ରୁପ ମ୍ୟାଚ ଖେଳିବା ପରେ ଏହି ଇଭେଣ୍ଟରୁ ଓହରିଯାଇଛି । ଏହାର ମୁଖ୍ୟ କାରଣ ହେଉଛି କରୋନା । ଏକାବେଳକେ ଏହାର ୧୨ ଜଣ ଖେଳାଳି ଓ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଚାଇନିଜ ତାଇପେଇ ବିପକ୍ଷ ମ୍ୟାଚ ପରେ ସେମାନେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଏହା ପୂର୍ବରୁ ଭାରତର ଦୁଇ ଜଣ ଖେଳାଳି ଆହତ ହେବା କାରଣରୁ ଖେଳରୁ ବାହାର ହୋଇଛନ୍ତି । ଏହାକୁ ନେଇ ଦଳ ନିରାଶ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଏହି ଇଭେଣ୍ଟ ପାଇଁ ଗତ ଦୁଇ ବର୍ଷ ଧରି ଅଭ୍ୟାସ ଚଳାଇଥିଲେ । ଏହା ଏକ ୧୨ ଟିମ୍‌ ବିଶିଷ୍ଟ ଇଭେଣ୍ଟ । ସର୍ବ ଭାରତୀୟ ଫୁଟବଲ ସଂଘର ସଭାପତି ପ୍ରଫୁଲ୍ଲ ପଟେଲ ଆଜି କହିଛନ୍ତି ଯେ ଭାରତୀୟ ଦଳ ଏହାକୁ ନେଇ ନିରାଶ ନ ହୁଅନ୍ତୁ । ସେମାନେ ପୂର୍ବରୁ ଭଲ ପ୍ରଦର୍ଶନ କରିଛନ୍ତି । ସେମାନଙ୍କର ଦକ୍ଷତା ବହୁବାର ପ୍ରମାଣିତ ହୋଇଛି । କରୋନା ସାରା ଦେଶରେ ଆତଙ୍କ ଖେଳାଇଛି । ଏଭଳି ପରିବେଶ ଓ କଡ଼ା କଟକଣା ମଧ୍ୟରେ ଖେଳାଳିମାନେ ଧୈର୍ଯ୍ୟର ସହ ଅଭ୍ୟାସ କରିଛନ୍ତି । ତେବେ ଆମକୁ ନିୟମ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Comments (0)
Add Comment