ଏହି ଖେଳାଳିଙ୍କୁ ବିଶ୍ୱର ଶ୍ରେଷ୍ଠ ଟି-୨୦ ପ୍ଲେୟାର କହିଲେ ମାଇକେଲ ଭନ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଜୋସ୍‌ ବଟଲର ସିଜନର ଦ୍ୱିତୀୟ ଶତକ ହାସଲ କରିଥିଲେ । ରାଜସ୍ଥାନ ପାଇଁ ଏହା ବଟଲରଙ୍କ ଏହା ତୃତୀୟ ଶତକ ଏବଂ ସେ ଏହି ଫ୍ରାଞ୍ଚାଇଜ୍‌ ପାଇଁ ତିନି ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ବଟଲର କୋଲକାତା ବିପକ୍ଷରେ ନଅ ଚୌକା ଏବଂ ପାଞ୍ଚଟି ଛକା ସାହାଯ୍ୟରେ ୬୧ ଟି ବଲରେ ୧୦୩ ରନ୍‌ ସଂଗ୍ରହ କରିଥିଲେ । ବଟଲରଙ୍କ ଏହି ଇନିଂସ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ତାଙ୍କୁ ଦୁନିଆର ଶ୍ରେଷ୍ଠ ଟି -୨୦ ଖେଳାଳି ବୋଲି କହିଛନ୍ତି ।
ଗତ ବର୍ଷ ଅକ୍ଟୋବରରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ପରଠାରୁ ବଟଲର କ୍ରିକେଟର ସବୁଠାରୁ ସ୍ୱଳ୍ପ ଫର୍ମାଟରେ ହାରାହାରି ୮୦.୫ ରନ୍‌ ସଂଗ୍ରହ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ଷ୍ଟ୍ରାଇକ୍‌ ହାର ୧୫୪.୪୩ ରହିଛି । ସେ ଆଇପିଏଲ୍‌ ୨୦୨୨ ରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ରେ ୩୭୫ ରନ୍‌ ସଂଗ୍ରହ କରିଛନ୍ତି ଏବଂ ସେ କମଳା କ୍ୟାପ୍‌ ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ସୋମବାର କୋଲକାତା ଏବଂ ରାଜସ୍ଥାନ ମଧ୍ୟରେ ମ୍ୟାଚ୍‌ ପରେ ମାଇକେଲ୍‌ ଭନ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ କେଉଁ ଖେଳାଳି ବର୍ତ୍ତମାନ ଦୁନିଆର ଶ୍ରେଷ୍ଠ ଟି -୨୦ ଖେଳାଳି । ଜୋସ୍‌ ବଟଲରଙ୍କ ନାମ ନେଇ ଭନ୍‌ ଲେଖିଛନ୍ତି, ‘ବିଶ୍ୱର ଶ୍ରେଷ୍ଠ ଟି -୨୦ ଖେଳାଳି ଜୋସ୍‌ ବଟଲର୍‌ ।’
ଆଇପିଏଲରେ ତିନି କିମ୍ବା ଅଧିକ ଶତକ ହାସଲ କରିଥିବା ଷଷ୍ଠ ଖେଳାଳି ହୋଇଛନ୍ତି ଜୋସ୍‌ ବଟଲର୍‌ । ତାଙ୍କ ପୂର୍ବରୁ କ୍ରିସ୍‌ ଗେଲ୍‌, ବିରାଟ କୋହଲି, ଡେଭିଡ ୱାର୍ଣ୍ଣର, ସେନ ୱାଟସନ ଏବଂ ସଞ୍ଜୁ ସାମସନ ତିନି କିମ୍ବା ଅଧିକ ଶତକ ହାସଲ କରିଛନ୍ତି । ଗେଲଙ୍କ ପାଖରେ ୬, ବିରାଟଙ୍କ ପାଖରେ ୫, ୱାର୍ଣ୍ଣରଙ୍କର ୪, ୱାଟସନଙ୍କର ୪ ଟି ଏବଂ ସାମସନଙ୍କ ନାମରେ ୩ ଟି ଶତକ ରହିଛି । ଏହା ବ୍ୟତୀତ ବ୍ରାବର୍ନ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଦ୍ୱାରା ଏହା ବ୍ୟକ୍ତିଗତ ତୃତୀୟ ଶତକ ।

Comments (0)
Add Comment