ବଦଳିବ ୱେଷ୍ଟଇଣ୍ଡିଜର ଭାରତ ଗସ୍ତ କାର୍ଯ୍ୟସୂଚୀ !, ଏହି ଦୁଇ ସହରରେ ହୋଇପାରେ ସବୁ ମ୍ୟାଚ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ସମାପ୍ତ ହେବା ପରେ ଭାରତୀୟ ଦଳକୁ ଫେବୃଆରୀ ୬ ରୁ ୱେଷ୍ଟଇଣ୍ଡିଜ୍‌ ସହିତ ଏକ ଧଳା ବଲ୍‌ ସିରିଜ୍‌ ଖେଳିବାକୁ ପଡିବ । ୱେଷ୍ଟଇଣ୍ଡିଜକୁ ଭାରତ ଗସ୍ତରେ ତିନିଟି ଦିନିକିଆ ଏବଂ ଟି୨୦ ସିରିଜ୍‌ ଖେଳିବାକୁ ପଡିବ । ସିରିଜର ମ୍ୟାଚ୍‌ ବିଭିନ୍ନ ସ୍ଥାନରେ ଖେଳାଯିବାକୁ ସ୍ଥିରିକୃତ ହୋଇଛି । ତେବେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ସିରିଜର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ ବୋଲି ବର୍ତ୍ତମାନ ଖବର ଆସିଛି । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଏଥିରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳିଛି ।
କେବଳ ଦୁଇଟି ସହରରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଧଳା ବଲ୍‌ ସିରିଜ୍‌ କରିବାକୁ ବିସିସିଆଇ ବିଚାର କରିଛି । ପିଟିଆଇର ରିପୋର୍ଟ ଅନୁଯାୟୀ ଏହି ସହରଗୁଡ଼ିକ ଅହମ୍ମଦାବାଦ ଏବଂ କୋଲକାତା ହେବ । ମୂଳ କାର୍ଯ୍ୟସୂଚୀ ଅନୁଯାୟୀ, ଦିନିକିଆ ସିରିଜ୍‌ ଅହମ୍ମଦାବାଦ, ଜୟପୁର ଏବଂ କୋଲକାତାରେ ଖେଳାଯିବାକୁ ଥିବାବେଳେ ଟି -୨୦ ସିରିଜ୍‌ କଟକ, ବିଶାଖାପାଟନମ୍‌ ଏବଂ ଥିରୁବନନ୍ତପୁରମରେ ଅନୁଷ୍ଠିତ ହେବ । ସୂତ୍ରରୁ ପ୍ରକାଶ ଯେ, “ଟୁର୍‌ ଆଣ୍ଡ ଫିକ୍‌ଚର୍‌ କମିଟି ବୁଧବାର ଦିନ ବିସିସିଆଇ ସଚିବ ଏବଂ ସଭାପତିଙ୍କ ସହ ଆଲୋଚନା କରି ଏହି ଟୁର୍ନାମେଣ୍ଟ କେବଳ ଅହମ୍ମଦାବାଦ ଏବଂ କୋଲକାତାରେ ଅନୁଷ୍ଠିତ ହେବାକୁ ପରାମର୍ଶ ଦେଇଛନ୍ତି । ଆସନ୍ତା ଦୁଇ ଦିନ ମଧ୍ୟରେ ବିସିସିଆଇ ଏହା ଉପରେ ଏକ ଅନ୍ତିମ ନିଷ୍ପତ୍ତି ନେବ ବୋଲି ରିପୋର୍ଟରେ କୁହାଯାଇଛି ।

Comments (0)
Add Comment