ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଭାରତର ୨୭୪ ରନ ଜବାବରେ ପ୍ରଥମେ ଦକ୍ଷିଣ ଆଫ୍ରିକା ମଜବୁତ ସ୍ଥିତିରେ ରହିଥିଲା । କିନ୍ତୁ ପରେ ପୁଣି ଭାରତ ମ୍ୟାଚକୁ ପ୍ରତ୍ୟାବର୍ତନ କରିଥିଲା । ଶେଷ ଓଭର ପର୍ଯ୍ୟନ୍ତ ଲାଗି ରହିଥିଲା ରୋମାଂଚକର । କିଏ ଜିତିବ କହିବା ମୁସ୍ମିଲ ହୋଇଯାଇଥିଲା । କିନ୍ତୁ ଶେଷ ଓଭରରେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ବାଜିମାତ କରିଥିଲା ।
ସେମିଫାଇନାଲ ଯିବା ପାଇଁ ଏହି ମ୍ୟାଚ ଜିତିବା ଭାରତ ପାଇଁ ଅପରିହାର୍ଯ୍ୟ ହୋଇପଡିଥିଲା । ଏହି ଆହ୍ୱାନକୁ ଗ୍ରହଣ କରି ଭାରତୀୟ ମହିଳା ଦଳ ଦମଦାର ବ୍ୟାଟିଂ କରିଥିଲା । ଦକ୍ଷିଣ ଆଫ୍ରିକା ବିରୋଧରେ ଦଳ ୨୭୪ ରନର ଭଲ ସ୍କୋର କରିଥିଲେବି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରିଥିଲେ । ୫୦ ଓଭର ଖେଳ ସୁଦ୍ଧା ସେମାନେ ୭ ୱିକେଟ ହରାଇ ୨୭୫ ରନ କରିପାରିଥିଲେ ।
ପ୍ରଥମେ ବ୍ୟାଟିଂ କରି ଭାରତର ଓପନିଂ ଯୋଡ଼ି ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ଦମଦାର ପ୍ରଦର୍ଶନ କରିଥିଲେ । ସ୍ମୃତି ୭୧ ରନ କରିଥିବାବେଳେ ଶେଫାଳୀ ବର୍ମା ୫୩ ରନରେ ରନ ଆଉଟ ହୋଇଥିଲେ । ସେହିପରି ୟାସ୍ତିକା ଭାଟିଆ ମାତ୍ର ୨ ରନ କରିଥିବାବେଳେ ଅଧିନାୟିକା ମିତାଲି ରାଜ ୬୮ ରନ କରିଥିଲେ । ଦଳର ଟାଣୁଆ ବ୍ୟାଟ୍ସମ୍ୟାନ ହରମନପ୍ରୀତ କୌର ୪୮ ରନର ଭଲ ପାଳି ଖେଳିଥିବାବେଳେ ପୂଜା ବସ୍ତ୍ରାକାର ୩, ରିଚା ଘୋଷ ୮ ରନ କରିପାରିଥିଲେ । ସ୍ନେହା ରଣା ୧ ଓ ଦୀପ୍ତି ଶର୍ମା ୨ ରନରେ ନଟଆଉଟ ରହିଥିଲେ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର ଲୌରା ୮୦ ରନର ଆକର୍ଷଣୀୟ ପାଳି ଖେଳିଥିଲେ । ଅପରପକ୍ଷରେ ଲାରା ଗୁଡ଼ଅଲ ୪୯ ରନ କରିଥିବାବେଳେ ସୁନେ ଲୁସ ୨୨ ରନ ଓ କାପ ୩୩ ରନ କରିଥିଲେ । ମିଗ୍ନନ ଡୁ ପ୍ରେଜ ଭଲ ବ୍ୟାଟିଂ କରି ଭାରତ ବିଜୟ ରାସ୍ତାରେ ବାଧକ ସାଜିଥିଲେ । ମିଗ୍ନନ ୫୦ ରନର ଏକ ଚିତାକର୍ଷକ ପାଳି ଖେଳିଥିଲେ ।