ଅଚାନକ ସରକାରଙ୍କ ଉପରେ ବର୍ଷି ଏମିତି କହିଲେ ଦୁତି

ଭୁବନେଶ୍ୱର : ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଓଡ଼ିଆ ଆଥଲେଟ ହଠାତ ରାଜ୍ୟ ସରକାରଙ୍କ ଉପରେ ର୍ବେିଛନ୍ତି । କ୍ରୀଡ଼ା ତଥା ଆତଲେଟମାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ବା କାର୍ଯ୍ୟକୁ ନେଇ ସେ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜର ଟୁଇଟରେ ସେ ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ୱ ଦେବାକୁ ଯାଇ ଆଥଲେଟିକ ଓ ଅନ୍ୟ ଖେଳଗୁଡ଼ିକୁ ଅବହେଳା କରୁଥିବା ନେଇ ସମାଲୋଚନା କରିଛନ୍ତି । ତେବେ ସେ ଅଳ୍ପ ସମୟ ମଧ୍ୟରେ ନିଜର ଟୁଇଟ୍‌ ଡିଲିଟ୍‌ କରିଦେଇଥିଲେ ବି ତାହାର ସ୍କ୍ରିନ ସଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିଜର ଟୁଇଟରେ ସେ ଲେଖିଥିଲେ “ ଓଡିଶା ସରକାର ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ, କିନ୍ତୁ ଏପଟେ କ୍ରୀଡାବିତମାନେ ଦିନକୁ ଦିନ ହଜିଗଲେଣି । ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି । ଆପଣ ଖାଲି ସେହି ହକି ଇଣ୍ଡିଆ ଟିମ୍‌କୁ ଧରି ନାଚୁ ଥାଆନ୍ତୁ । ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ । ହକି ଟିମ୍‌ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି । କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ । ଏ ହକି ବାଡି କେତେଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ । ସବୁ ପ୍ରହସନ’’ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦୁତିଙ୍କ ଏହି ଟୁଇଟ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ଟୁଇଟ କରି ସେ ଲେଖିଛନ୍ତି, “ଜଣେ ଖେଳାଳି ଭାବେ ମୁଁ ଆଉ ଜଣେ ଖେଳାଳିଙ୍କ ଏହି ଭଳି ମନ୍ତବ୍ୟକୁ ଘୋର ନିନ୍ଦା କରୁଛି । ରାଜ୍ୟ ସରକାର ପ୍ରତ୍ୟେକ ଖେଳକୁ ସମାନ ଗୁରୁତ୍ୱ ଦେଇ ଆସୁଛନ୍ତି, ସେ ହକି ହେଉ କିମ୍ବା କୌଣସି ଖେଳ । ଅଲମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । ଆଜି ଭୁବନେଶ୍ୱରକୁ (ଓଡ଼ିଶା) କାହିଁକି ସ୍ପୋର୍ଟସ କ୍ୟାପିଟାଲ କୁହାଯାଉଛି ତାହା କାହାକୁ ଅଛପା ନାହିଁ । କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରଥମ ପରିଚୟ ହକି ହିଁ ଦେଇଛି । ବୋଧ ହୁଏ ଅନେକ ଖେଳାଳି ଏହା ଜାଣି ନାହାନ୍ତି । ଏହି ଭଳି ମନ୍ତବ୍ୟ ଅନ୍ୟ ଖେଳାଳିଙ୍କ ପ୍ରତି ଗ୍ରହଣୀୟ ନୁହେଁ ।ନିଜେ ଜଣେ ଖେଳାଳି ହେଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ୍‌’’ବୋଲି ତିର୍କୀ କହିଛନ୍ତି ।

Comments (0)
Add Comment